Unknown

 

 

 

 

 

 

 

 

 

ଓଡ଼ିଶୀ କୀର୍ତ୍ତନ ଶତକ

କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ

 

(୧)

 

ଶରୀର ଭେଦ

ଅନ୍ଧ ନୟନ ଖୋଲ ନିରେଖ ନୀଳ କମଳ

ଝଲମଲ ମନ ଯମୁନାରେ

ତହିଁ ଭରା ମକରନ୍ଦ ଝରେ ମଧୁ ମନ୍ଦ ମନ୍ଦ

ମତ୍ତ ଅଳି ଭରମେ ଅନାରେ

ଅମଉଳା ଦଳଟି ତାର

ନାହିଁ ଖରା ତରା ପସରା ଯାର ଦଳଟି ତାର ।।୧।।

ପଲକ କବାଟ ଫେଇ ଆଲୋକ ଦେଖରେ ଚାହିଁ

କୋଟି ରବି ତେଜ ପରକାଶେ ।

କରୁଣା ଝଲସେ ଯାର ଫୁଟେ ଶତଶତ ଦଳ

ବିଗଭରେ ମକରନ୍ଦ ବାସେ ।

ପାଶୋରି ତୁ ହୁଅନା ବଣା

ମନ୍ଦ କବିଶଶୀ ଜାଣି ଅଜଣା ।।୩।।

ତୁ ଯେ’ ପଡ଼ନା ଘୁମାଇ ମନ ଚେତନା ହଜାଇ

ଘେରି ଯିବ ନିଶି ଅନ୍ଧକାର

ଷଡ଼ରିପୁ ଦଳ ଆସି ସୁମନ କୋଟରେ ପଶି

ବିକଳ କରିବ ତନୁ ତୋର

ଡାକି ଘେନି ସାଥିରେ ତୋର

ସେଇ ଭାଙ୍ଗିବ ଏ ସପନ ଘୋର ସାଥିରେ ତୋର ।।୨।।

 

(୨)

‘‘ଆ’’-୧/୨

।। ମାଥୁରା ।।

 

ଆଉ ଚିହ୍ନିବକି ଚିନ୍ତାମଣି ହେ

ଆଉ ଚିହ୍ନିବ କି ଚିନ୍ତାମଣି !

ଛାର ଗୋପାଳ ହେ ! ହେଲଣି ଭୂପାଳ

ପାଇଛ ଅମୋହ ମଣି ହେ ।।୦।।

ଚମ୍ପା, ଯୁଈ, ଯାଇ, ବାସ ଗଭା ଯାଇ

ସୁନା ମୁକୁଟ ହେଲାଣି ।

ଚୋରି ଧରି ଆମେ ମାଡ଼ ଦେଇଥିଲୁଁ

ସେହି ଗୋପ ଗୋପାଳୁଣୀ ହେ ।।୧।।

କେତେ ହାତଧରି କହିଛ ମୁରାରୀ

ଭେଟିବାକୁ ରାଧାମଣି ।

ପାଦ ତଳେ ପଡ଼ି ମଥା ଛିଡ଼ିଥିବ

ମନୁ ପାସୋର ଗଲାଣି ହେ ।।୨।।

ରାଈ କୁଞ୍ଜପଟେ, ଯମୁନା ନିକଟେ

କାନ୍ଦି କହ ଚାଟୁବାଣୀ

ଚିହ୍ନି ନ ପାରୁଛ, ଯାହା ହେ କେଶବ

(ମୁହିଁ) ସେହି ଗୋପ ପୁଆଳୁଣୀ ହେ ।।୩।।

 

(୩)

ଆ-୨/୩

(ବ୍ରଜ-ବିରହ)

 

ଆଜି ତ ରେ ବୃନ୍ଦାବନେ

ଶୁଭେ ଶ୍ୟାମ ମୂରଲୀ

ନିଶୀ ଅଧେ ଏ ନିକୁଞ୍ଜେ

ଝୁରେ ରାଈ କିଶୋରୀ ।।୦।।

ବେଣୁତାନେ ଯମୁନାରେ ଉଜାଣି ବହେ

ଗୋଠେ ଧେନୁ ବତ୍ସା ଥକା ନୟନେ ଚାହେଁ

କେ କହେ ସେ ନାହିଁ ଆଜି

ବ୍ରଜେ କାହ୍ନୁ ଅଛି ସାଜି

ସେ କିବା ପାରିବ ରହି

ବୃନ୍ଦାବନ ପାଶୋରୀ ।।୧।।

ନିଶି ଅଧେ .......

ଆଜିତ ମାଧବୀ କୁଞ୍ଜେ ଭ୍ରମର ଗାଏ

ଶଶୀ ନିଶି ଭରି ଫୁଲ ଶେଜ ବିଛାଏ

ଚଉଦିଗେ କାହ୍ନୁ ଛାଇ

ଆଖି ପଲକେ ନାଚଇ

ପୟର ନୂପୁର ତାର

ଉଠୁଛିରେ ଗୁଞ୍ଜରି ।।୨।।

 

(୪)

ଆ-୩/୪

(ପ୍ରେମ ବନ୍ଧନ)

 

ଆଜି, ପଡ଼ିଛି ଧରା କହ୍ନାଇ

ଜାଣି କି ନ ଥିଲ, ନିତି ଚୋର ଘର

ଅନ୍ଧାର ରହିବ ନାଇଁ ।।୦।।

ଗୋପପୁର ନାରୀ ପସରା ନିଗାଡ଼ି

ଲବଣୀ ଦେଉଛ ଖାଇ

ଲାଗିଲାଗି ଡର, ଯିବାକୁ ଏଥର

ପଥେ ଏକୁଟିଆ ହୋଇ ।।୧।।

ଯମୁନା ପାଣି କି ଆଉ କେ ଏଣିକି

ନ ଯିବେ ଆଉ ଗାଧୋଇ

ଲୁଚିଥାଅ କାହିଁ ମୁଖେ ଲାଜ ନାହିଁ

ନିଅ ବସନ ଚୋରାଇ ।।୨।।

ମୁଁ ଯେ କୁଳ ନାରୀ, ମୋ ନାମ ଉଚ୍ଚାରି

ମୂରଲୀରେ ‘ରାଈ’ ରାଈ’

ଏଡ଼ିକି ନିର୍ଲ୍ଲଜ ତୁମେ ବ୍ରଜ ରାଜ

କୁଞ୍ଜ କୋଣେ ଦିଅ ବାଇ ।।୩।।

ଫୁଲ ଶେଯେ ଧନୀ, କମଳ ନୟନୀ

ବାହୁ ବନ୍ଧନେ ଘେରାଇ

ଦରହସା ଦେଇ ପଚାର କହ୍ନାଇ

ଆଉ ପଳାଇବ କାହିଁ ?

ମରୁ କବିଚନ୍ଦ୍ର ଚାହିଁ ।।୪।।

 

(୫)

୨୫.୭.୧୪, ଆ-୪/୫

(ଅଭିସାର)

 

ଆସି ସଂଜ ହେଲା କୁଞ୍ଜବନେ ଦେଖ !

ଚଞ୍ଚଳ ଚଳ ଗୋ ରାଈ ।

ତାରା ଝିଲିମିଲି ଗଗନେ ଚନ୍ଦ୍ର

ରହିଛି ତୋ ପଥ ଚାହିଁ ।।୦।।

ଦରହସା ମାରି ବ୍ରଜମଲ୍ଲିକା

ଅଙ୍ଗେ ଅତର ବୋଳି

ଚାନ୍ଦମୁହିଁ ତୋର ଆଗମ ସୁମରି

କରେ ଅନା ନିଉଛାଳି

ମଠ ନକର ରାଈ

ଝୁରୁଥିବ ତୋରେ କଳା କହ୍ନାଇ

ମୂରଲୀରେ ଏକା ତୋ ନାମ ଗାଇ

ଚରଣେ ନୂପୁର ବରଣ ନକର

ଭଗାରୀ ସେ ଚାନ୍ଦମୁହିଁ ।।୧।।

ରୁମୁଝୁମୁ ବାଜି ଜଣାଇ ଦେବଟି

ପଥ ଚାଲିବାର ତୁହି

ଧୀର ଚଳ ମୋ ତୁଲେ

ବୃନ୍ଦାବନ ବନ ଗହଳେ

ତୁ, ଚଳ ମୋ ତୁଲେ

ଲୁଚି ଲୁଚି ଯାଇ ଚତୁର ନାଗରେ

ଚମକାଇ ଦେବୁ ଛୁଇଁ ।।୨।।

 

(୬)

ଆ-୫/୬

(ଖଣ୍ତିତା ଉକ୍ତି)

 

ଆ ଗତ ପରବଞ୍ଚକ ଶଠ ରାଟ ରଜନୀ ଶେଷେ

(ଆହା) ମରିଯାଏ ପୀତବାସ ତେଜ, ଆଦରିଛ ନୀଳ ବାସେ ।

ଘୁମ ଢୁଳୁଢୁଳୁ ଅଳସ ନୟନ

ଗଣ୍ତେ କଜଳ ରେଖା

ବକ୍ଷରେ ଶୋଭେ କେଉଁ ନାଗରୀର

ଚରଣେ ଅଳତା ଲେଖା ।

କିଏ ଦେଇଛି ସାଜି

କୋଟି ମଦନ ତ ହାରିଛି ଆଜି ।

କେ, ଦେଇଛି ସାଜି

ଭୁଲିକି ଆସିଲ ମାଧବୀ କୁଞ୍ଜେ

ଭରା ଅଳସ ଆବେଶ ।।୧।।

ଫେର, ଫେର ନାଗର ରଜନୀ ଉଜାଗର

ଯା ପୁରେ ଥିଲ ଲମ୍ପଟ

ଲାଜ ସରମ ନାହିଁ, ଆସିଛ ପୁଣି ଧାଇଁ

କି ମୁଖରେ ସତେ ଧିଟ ରାଟ !

କୁସୁମ ନୁହଇ ଧନୀ

ସେ ଯେ କୁଳର କାମିନୀ

ନୀର ଧାର ନୟନୁ ବରଷେ

କବିଶଶି କହେ ଆଉ, ନାହିଁ ଗତି ମହାବାବୁ

ଚରଣେ ଶରଣ ଅବଶେଷେ ।।୨।।

 

(୭)

ଏ-୧/୭

 

ଏ ନୟନ ଅନାଁ ଥରେ

ଭୁବନମୋହନ ଠାମା

ରାଧା ମନ ମନ୍ଦିର ଅଭିନନ୍ଦନ

ବନ୍ଦନ ଛବି ଅଭିରାମ ।।୦।।

ଚନ୍ଦନ ଚର୍ଚ୍ଚିତ ଚଞ୍ଚଳ ଚରଣେ

ଚିତ୍ରିତ କୁଙ୍କୁମ ବିନ୍ଦୁ ।

କମ୍ପିତ ଛନଛନ ନିରତ ରାଇମନ

ଦରଶନ ବିନେ ମୁଖ ଇନ୍ଦୁ ।

ମୂରଲୀ ଅଧର ଧର ନଟବର ନାଗର

ଭଙ୍ଗି ତ୍ରିବିକ୍ରମ ଶ୍ୟାମ ।।୧।।

 

*

(ଅତିବଡ଼ି ଜଗନ୍ନାଥ ଦାସ ନାଟକ (ଗ୍ରନ୍ଥାବଳୀ ୩ୟ) ର ୨୫୧ ପୃଷ୍ଠା ହଷ୍ଟବ୍ୟ)

 

(୮)

ଏ-୨/୮

 

ଏ ମୂରଲୀ !

ମନେ ପଡ଼େ ନାହିଁକି ତୋର ?

ସୁଧା ଅଧର ।।

ଭୁଲି କି ରହିଲୁ ସୁଖେ

ସତେ ସେ ମୋହନ ସୁର ।।୦।।

ନ ଡାକିଲେ ରାଧା ରାଧା

ନ ହୁଏ କି ପ୍ରାଣେ ବାଧା

ତୋ ବିନା ବରଜ ବଧୂ

ବଞ୍ଚିବ କି ପ୍ରାଣବନ୍ଧୁ

ଫୁଟିବ ସରସ ମୁଖେ

ସତେ କି ହାସ ମଧୁର ।।୧।।

ମାଧବି ନିକୁଞ୍ଜ ତଳେ

ଝରି ତ ଫୁଲ ମଉଳେ

ଆଉ କାହା ଗଳେ ନେଇ

ମାଳା କେ ଦେବ ଲମ୍ବାଇ

ଚାହିଁ ରହିଛି ରାଧିକା

ବିକଳେ ଝରାଇ ନୀର ।।୨।।

 

(୧୦)

ଏ-୪/୧୦

ବିରହ

 

ଏ ସଜନୀ, ଗତ ମଧୁ-ସଞ୍ଜ

ନୀରବ କୋଇଲି ନିଥର ମଧୁକର

ନିରଜନ ମାଧବୀ କୁଞ୍ଜ

ରାଈ ମଗନ ମନ ମଦନ ମୋହନ ଗୋ

ଝରେ ନୀର ହେରି ଝରା କଞ୍ଜି ।।୧।।

ନୀଳ କମଳ ଆଖି ଧନୀ ପଥ ନିରେଖି

ପଲକତ ହେଲାଣି ପାଶୋରି

ଡାକି ଡାକି ସତେ ରାଈ ରାଈ ବୋଲି

ହାରି ତ ଗଲାଣି ବାଂଶରି ।

କମ ବଦନ ଝଳି

ଝାଉଁଳି ପଡ଼ିଛି ବନ ନିଆଳୀ କି-

ଦିଶେ ତା’ ଭଳି ।।୨।।

ଏ କାଳେ ଲଳିତା ଆସି ଚରମରୁ ପରବେଶି

ହସି ଭାଷେ ଟିପିଟିପି ଆଖି

ଆହା ମରିଯାଏଁ ଧନ କି ହେଲା ଘନ ବରଜ

କିଏ ସେ ଏ ଦଣ୍ତ ଦେଲା କି ?

ଶୀରିମୁଖ ଯାଉଛି ତ ଶୁଖି ।

କପଟ କରମ ଫଳ ଭୋଗୁଛ ସିନା ଛଇଳ

ଧୂଳି ଶେଜ ତେଜ ବ୍ରଜରାଜ ।

କବି ଶଶି ଯୋଡ଼ି କର କହେ ରୋଗ ଉପଚାର

ରାଇ ପଦେ ଅଲକତ ରଞ୍ଜ ।।୩।।

 

(୧୧)

ଏ-୫/୧୧

ଅଭିମାନ

 

ଏଇନା ସଜନୀ ନଟ ଶିରୋମଣି

ବରଜ ଗୋପୀକା ସଙ୍ଗେ-

ସଙ୍କେତ ଦେଇ ଆଣି ସେ ଭୁଲାଇ

ବିହରଇ ରାସ ରଙ୍ଗେ

ସେତ ଶଠ ନାଗର ।

କାରବାର ସହି ନ ପାରିବି ସହି

ନଟ କୂଟିଆର ଶଠ ବେଭାର ।।୦।।

(ଆଉ) କି ହେବ ବସନ, କି ହେବ ଭୂଗତା

କି ହେବ ଏ ଆଭରଣ ।

ଜାତି-କୁଳ-ମାନ, ଗଲା ଅକାରଣ

ସାର ଅପଯଶ ଗାନ ।

ଫେର ଫେର ବହନା

କୁସୁମ ଚନ୍ଦନ, କରୁ ମୋର ଘେନ

ଯମୁନା ଜଳରେ ଯାଉ ଜୀବନ ।।୧।।

 

(୧୨)

ଏ-୬/୧୨

 

ଏଇତ ଲଳିତା ଆସେ

ଦେଖଲୋ କିଶୋରୀ !

ନାହିଁତ ତା’ ସଙ୍ଗେ କାହିଁ

ବରଜ ବିହାରୀ ।।୦।।

ଦୟା ନାହିଁ, ମାୟା ନାହିଁ

କଠୋର ପୁରୁଷ

ନାରୀମରା ରୀତି ତାର

ଏକା ପଉରୁଷ ।

ହୁଅ ମାନିନୀ ଧନୀ ।

ଦେଖଗୋ ବିତିଲାତ ଯାମିନୀ

ବସ ମୁଖପୋତି ଗୁମାନ ଭରି

କୁଞ୍ଜକୁ ଯେବେ ଗୋ ଆସିବେ ସେ ଶଠ

ଆଡ଼ କରି ମୁଖ ବସ ରେ ଗୋରି ।।୧।।

ଆଶା ପଛ ଚାହିଁ ଚାହିଁ

ପରବଞ୍ଚ କର

ଶେ ଯାଇ ଶେଯ ସୁପାତି

ହେଲା ନାରଖାର

ହୁଅ ମାନିନୀ ଧନି

ନ ଶୁଣି ସେ ଶଠ କପଟ ବାଣୀ

ଆସିବା ପଥରେ ଯାଉ ସେ ଫେରି ।।୨।।

 

(୧୩)

 

ଆଗତ ପରବଞ୍ଚକ ଶଠ-

ନାଗର ଶତ ଘରିଆ

ନବନାଗରୀ ପଦ ବକ

ହୃଦେ ସାଜଈ ସଖୀ ହେରିଆ ।।୦।।

କପାଳେ ସିନ୍ଦୂର ରେଖା

ଅଧରେ କଜ୍ଜଳ

ନୀଳ ପଦ୍ମ ପାଲଟିଠି

ରକତ କମଳ ।

ବନମାଳ ପୀତ ଧଡ଼ା

କାହିଁଛନ୍ତି ଛାଡ଼ି

କେ’ ଦେଇଛି ନୀଳ ଶାଢ଼ୀ

ପୀତ ବାସ କାଢ଼ି ?

ଲାଜ ନାହିଁ କେଡ଼େ ନିଲଠିଆ ।।୧।।

କି ଉତ୍ତର ଦେବେ ସଖି ! ପଚାର ପଚାର

ଛଳବାଣୀ ଭଣିବାରେ ସେ ତ ଧୁରନ୍ଧର ।

ପଥରୋଧି କୁଞ୍ଜବନୁ କର ତାଙ୍କୁ ଦୂର

 

ଲୋଡ଼ାନାହିଁ ଶ୍ୟାମ ପ୍ରୀତି ତାଙ୍କୁ ମୋ ଜୁହାର

ବାରିଲିଣି ସେ ତ ଦଗାଦିଆ ।।୨।।

 

(୧୪)

କ-୧/୧୪

(କୁଞ୍ଜଲୀଳା)

 

କଦମ୍ବତରୁ ତଳେ ରାଈ କିଶୋରୀ ତୁଲେ

ରଙ୍ଗ ରଚଇ ଘନଶ୍ୟାମ ।

ଛନ ଛନ ରାଇ ମନ ଅପଘନ କମ୍ପନ

ଦରଶନ ଲଭି ସେ ସୁଠାମ ।

ମନ ଚଞ୍ଚଳ ଗୋରୀ ଚାହେଁ ଫେରି ଫେରି

ପଲକ ବିୟୋଗ ମଣେ ଯୁଗ ।

ଶ୍ୟାମ ନାଗର ବର-ମୋହନ ମୁରଲୀଧର;

ଶ୍ୟାମ ପଡ଼ିଲେ ଧରା

ନବଘନ ଶ୍ୟାମ ପଡ଼ିଲେ ଧରା ।।୧।।

(ପୁଣି) ମାନ ଭରେ କିଶୋରୀ କିଶୋରୀ ରାଈ ନବ ଚାତୁରୀ

ଫୁଲାଇଲା ଶ୍ରୀମୁଖ ଅମଳ -ହାୟ ହାୟ !

କଳା ଖେଳା ଡୋଳା ବେନି-ମଦ ମତ୍ତ ଭୃଙ୍ଗ ଜଣି

ଚୁମିଲାକି ଫୁଲ୍ଲ ଶତଦଳ ।

(ଆହା) କି କର କି କର ଶ୍ୟାମ ନଟବର (କି କର)

ସେ ଯେ ଅଭିମାନୀ ରାଈ

ବଡ଼ ପିଚ୍ଛିଳ ଏ ପୀରତି ପଥଟି

ସେ ତ ଚାଲି ଶିଖିନାହିଁ ।।୨।।

ନିତି ଲୁଚକାଳି ଖେଳେ ପ୍ରେମ ତା ଅନ୍ତରେ

ଛାତି ଫାଟେ ନ ଫିଟେ ଶ୍ରୀମୁଖ ।

ରାଈ ମନର ବ୍ୟଥା ଶ୍ୟାମ ମରମେ ଲାଗେ

ପୀରତିର ଏହି ସିନା ସୁଖ ।

ଆହା ମରିଯାଏ କି ନା ତ୍ରିଭଙ୍ଗ କାଳିଆ ସୁନା

ମଧୁର ମିଳନ ରାଈ ସଙ୍ଗେ

ବେନି ତନୁ ମିଶାମିଶି ଏ ନୟନେ ଯାଏ ଦିଶି

ବିଜୁଳି କି କଳାଘନ ଅଙ୍ଗେ ? ।।୩।।

 

(୧୫)

କ-୨/୧୫

ମଧୁର ମିଳନ

 

କଜ୍ଜଳ ଘନ ବରଜ-ତ୍ରିଭଙ୍ଗ ବଙ୍କିମ ଠାମ

ଶ୍ରୀମତୀ ମନମୋହନ ଶ୍ୟାମ ।।୦।।

କୋଳରେ କିଶୋରୀ ମଣି-ରାଈ ଚନ୍ଦ୍ରମା ବଦନୀ

ଶୋଭା ସତେ କେଡ଼େ ମନୋରମ, ସଖୀରେ

କିବା ସାଜିଛି ରୂପରେ

କଳା ଗୋରା ମିଶାମିଶି ସାଜିଛି ରୂପରେ

ପୁଲକେ ନାଚେ ଅବନୀ (ସାଜିଛି ରୂପରେ)

କଳା ମେଘେ ବିଧୂଜିଣି (ସାଜିଛି ରୂପରେ )

ଶ୍ରୀ ଅଙ୍ଗ ସୁବାସେ, ମହକେ ଭୁବନ

ଜଗତ ଜନ ଜୀବନ

ସାର୍ଥକ ହେଲା ଏ ନୟନ ବେନି

ହେରି ମଧୁର ମିଳନ ।।୧।।

 

(୧୬)

 

ବିରହିଣୀ

କି ହେବ ବସନ କି ହେବ ଭୂଷଣ

ଭସାଅ ଯମୁନା ନୀରେ ।।୦।।

ସଖୀ ଆଉ କି ହେବ ଗୋ କୁଞ୍ଜ ସାଜି

ଯେବ ଶ୍ୟାମଚନ୍ଦ୍ର ରହିଲେ ଦୂରେ ।

ସହି ! କି ହେବ ଗୋ କୁଞ୍ଜ ସାଜି

ଜୀବର ଜୀବନ ବରଜ ବନ୍ଧୁ -

ଶ୍ୟାମଚନ୍ଦ୍ର ଯେବେ ରହିଲେ ଦୂରେ ।।୧।।

ସଜଡ଼ା ବିଡ଼ିଆ ଚନ୍ଦନ ଚୂଆ

ଦୂରେ ସଖୀ ଫିଙ୍ଗି ଦେ’ଗୋ

ଯତନ ସଜଡ଼ା ରତନ ପ୍ରଦୀପ

ଦେ’ ଦେ’ ସଖୀ ଲିଭାଇ ଦେ’ ଗୋ

କି ଫଳ ଏ ଜୀବନରେ ।।୨।।

(ମୁଁ) ତମାଳର ତଳେ ଯମୁନାର ଜଳେ

ମରିବି ତାହାରି ଲାଗି

କବି ଶଶି ଭଣି ଋଷନା ଗୋ ଧନୀ

 

ଶ୍ୟାମ ତୋର ଅନୁରାଗୀ

ଶୁଣ ଡାକେ ତୋରେ ବେଣୁ ସୁରେ ।।୩।।

 

(୧୭)

 

କୁଞ୍ଜକୁ ଫେରେ ନବ ନନ୍ଦ କିଶୋର-

ହସ ହସ ଶିରୀମୁଖ ପୀରତି ବିଭୋର ।।

ରାଈ କରେ ବନଫଳ ଭୁଞ୍ଜାଏ ଶ୍ୟାମକୁ

ଶ୍ୟାମ ଦିଏ ରାଈ ମୁଖେ ପ୍ରେମ ଚୁମ୍ବନକୁ ।

ଅଧରେ ଅଧର ମିଶି ରଙ୍ଗ ବୋଳାବୋଳି

କଳା ଗୋରା ତନୁ ବେନି, ପ୍ରେମେ କୋଳାକୋଳି ।

ପୀରତି ଶୋଭା କି ସତେ ମରତେ ଅଇଲା

କି ଅବା ମଦନ ବିଜେ ରତିକି ମୋହିଲା ।

ହସିଲା ଭୁବନ, ବନ, ଗଗନ, କାନନ

ପ୍ରେମ ରସେ ଭରି ଭରି ଗଲା ବୃନ୍ଦାବନ

ମାଧବୀ କୁଞ୍ଜରେ ବିଜେ କିଶୋରୀ ନବୀନା

ସଙ୍ଗେ ଖେଳେ ରଙ୍ଗେ ନବଘନ କଳା କାହ୍ନା

ଏ କାତକ ବସନ୍ତ ଆସି ତେରଛି ଚାହିଁଲା

କବିଶଶୀ ମନେ ଶ୍ୟାମ ପ୍ରେମ ଉଛୁଳିଲା ।

 

(୧୮)

 

କୁଞ୍ଜେ ବିଜୟ ଗୋକୁଳ ଚନ୍ଦ୍ରମା ନନ୍ଦନନ୍ଦନ ଶ୍ୟାମ

ଫୁଲ୍ଲ ଆନନେ ଶତଶଶଧର ପରଶେ ମଧୁର ଠାମ ।

ବନଲତିକା ବ୍ରଜ-

ବିଛାଇ ଦେଲାଣି କୁସୁମ ରଜ (ଲତିକା ବ୍ରଜ)

ମୁରଲୀର ସୁର, ସମୀରେ ପହଁରି, ହରେ ସତୀମାନ ଲାଜ ।।

ବରଜ ଗୋପୀକା ଘର କରି ତାର ଚଳଇ ତେଜ ସରମ

ଅଭିସାରେ ବିଜେ ରାଈ ବିନୋଦିନୀ ଗୁନ୍ଥି କୁସୁମ ଦାମ

ଶ୍ୟାମ ଗଳେ ଦୋଳାଇ

ଆଲିଙ୍ଗନ ଦେବ ସରାଗେ ରାଈ

ଏ କାଳେ ମନ୍ଦ ମଳୟ ବହିବ ରସାଇ ଗଗନ ବନ

ଯୁଗଳ ମିଳନ ହେରି ପୁଲକିବ ବୃନ୍ଦାବନ ବନ ଧାମ ।

 

(୧୯)

 

କୁସୁମ ଶୟନ ଭୁଲ, ଭୁଲ ମନ

ଏ କୁସୁମେ କୀଟ ଭାରି ।

ଶୋଭାଦଳ ତା’ର ମଉଳି ଯିବରେ ।

ବାସ ନେବ କିଏ ହରି ।।୦।।

ମାଟିରୁ ଜନମ ମାଟିରେ ଶୋଇବୁ

ଧୂଳିର ତଳପ ପାରି ।

ଆଜି ନ ହେଲେ ରେ କାଲି ତୋ ଶୟନ

ନାହୁଁ କି ମନେ ବିଚାରି ।।୧।।

ଆସେ ଦିନ ପାହେ ରାତି

ଜଳେ ଦୀପ ଲିଭେ ବତୀ

(ଯେବେ) ବହେରେ ବତାଶ ଘେରାଇ ଆକାଶ

ଲିଭିଯାଏ ତାରା ଜ୍ୟୋତି

ପଥର କରୁ ତୁ ଛାତି ।।୨।।

ସେଇ ନୀଳ ଘନ କୋଳେ ଘୁମା ଅରେ ତୁହି ଭୋଳେ

ଚେତନା, ଭାବନା ହାରି ।

କବିଚନ୍ଦନ କହେ ଶୁଆଇବ ସ୍ନେହେ

ଅଛି ଜଣେ ପଥଚାରୀ

(ଖାଲି) ଡାକ ତା’ର ନାମ ଧରି ।।୩।।

 

(୨୦)

 

ଖାତକ ମମ ପାଟକ କୁଳ-ରାଟ କଲି ପ୍ରଚାର

କହ ବ୍ରଜରାଜ, କି ସୁଖେ ବିରାଜ ରାଜ ସିଂହାସନ ପର ।

ରାଈ ମହାଜନ

ମନେ ଥିବ ତା’ର ପ୍ରୀତି ତମସୁକ

ଲେଖି କାଟିଛି ସେ ବଂଶୀ ଚିହ୍ନ ।।୦।।

ବଡ଼ ଦଗାଦାର କପଟ ଶେଖର ଗୋପିନୀର ଧୃତି ମତି ଚୋର

ଶୁଣିଛି ପରା ମଥୁରାରେ ରହେ-

ଲୁଚି ନଯାଏ ତ ଗୋପପୁର ।।୧।।

ଛି ଛି ! ନିଲ୍ଲଜ ମୁଖେ କେ କହିବ ସତେ

ସାକ୍ଷୀ ତାର ଶୁକଶାରୀ

ଥାଉ ବନର ମାଳତୀ, ସଖୀ ପ୍ରୀତିବତୀ

ଲଳିତା ବ୍ରଜନାଗରୀ ।

ପୁଣି ସାକ୍ଷୀ ଅଛି ତା’ର -ସଖୀ ଶ୍ରୀମତୀର

ବିରହ ନୟନ ବାରୀ

ତୁମେ ନଟବର ।

ଦୋଷ ଦେଖି ଶୁଣି ନ୍ୟାୟ ଦଣ୍ତଧରି

ଉଚିତ ବିଚାର ତୁମେ କର ।

ସୁଝି ଦେଉ ଆମ୍ଭସଖୀ ପ୍ରୀତି ଧନ

ଦୋଷୀ ଚାଲୁ ବାରେ ଗୋପପୁର ।।୨।।

 

(୨୧)

 

ଖେଳରେ ନୟନେ ଆଜି ଶ୍ରାବଣର ଧାରା

ଏ କି ରୂପ ହୋଇଲା ମୋ ନୟନର ତାରା

ଆହା କି ବା ସାଜିଛି ରେ

ହର ବେଶେ ହରି ମୋର-

ଆହା କି ବା ସାଜିଛି ରେ ।।୦।।

ପୀରତି ଲାଗି ଗୋବିନ୍ଦ ଯୋଗୀ ବେଶେ ସାଧେ

କୋଟି କଣ୍ଠ ଗାଅ ରାଧେ କୃଷ୍ଣ ରାଧେ

ରାଧେ ରାଧେ ରାଧେ ବୋଲ

ବୋଲ, କୃଷ୍ଣ କୃଷ୍ଣ କୃଷ୍ଣ ବୋଲ-

ରାଧେ ରାଧେ ରାଧେ ବୋଲ

ସେ ନାମ ଗାଇ ନାଚୁ ଏ ଜଉବନ ସାରା ।।୧।।

 

(୨୨)

 

ଗଗନ ଉପର ଶଶି ଛପି ଛପି ଆସେଲୋ

ମରେ ସଖି, ସୁଖ ନିଶି ଶେଷ ।

ମୋହନ ମନୋହର ଚିତ୍ତଚୋର ନାଗର

ନଟବର ଥିଲେ ମୋର ପାଶ ।।୦।।

ବନ୍ଧୁଆ ରତନ ଶିର ପରେ ମୋର

ସପନରେ ହେଲେ ପରବେଶ

କୋଟି ଚନ୍ଦ୍ର ଶୋଭା ଜିଣି ବଦନ କି ସୁନ୍ଦର

ତହିଁ ଟିରେ ସୁଧା ଦରହାସ ।।୧।।

ନୂପୁର ଶୁଣି ମୁଁ ଚମକି ଚାହିଁଲି

ସେହି ତ୍ରିବଙ୍କିମ ଠାଣି ।

ଅଧର ମୁରଲୀ ଭୁଲିନାହିଁ ସତେ

ରାଧା ରାଧା ରାଧା ବାଣୀ ।

ସେ କିଶୋର ବର ସପନ ଚେତାଇ

କଲେ ସଖୀ ମୋ ତନୁପରଶ

ଅଙ୍ଗ ସଙ୍ଗ ପରସଙ୍ଗ ରଙ୍ଗ ରଚି

ଜାଗର ରାତି ପୁହାଇ (ସଖୀରେ )

ଯୁଗ ଯୁଗ ଯାବତ ବିରହ ବିଶୋରିଲି

ଶ୍ୟାମଳ ଅଙ୍କେ ଘୁମାଇ

କାଳକଣ୍ଠ ପୀକ କୁହୁକ ରାବ ଶୁଣି

ସପନ ଚେତି ମୁଁ ଦେଲି ଚାହିଁ

ଜନମ ଜନମ ଯାହା ନରହିଲା ଯାମିନୀ

ସହିରେ ମରଣ ମୋର ନାହିଁ

ବସନ ଭୂଷଣ ସବୁ ଅକାରଣ ସଖୀରେ

ଯମୁନା ଜଳ (ମୋ) ପରାଣ ଆଶ ।।୩।।

 

(୨୩)

 

ଗଗନ ଉପର ଶଶୀ କିରଣ ବିଚ୍ଛୁରିତ

ପିକ କୁହୁରବେ ଉଠେ ମାତି ।

ଏସନ ରଜନୀ ସତେ କେସନ ଯାପିବ ଗୋ ।

ଦୂରୁ ଦୂରୁ ଥରେ ଧନୀ ଛାତି ।।୦।।

ଝରେ ନୟନ ନୀର,

ଭାସିଯାଏ ଗଣ୍ତେ କଜଳ ଧାର -ନୟନ ନୀର

କମନୟନରୁ ଝରଝର ଝରେ -ନୟନ ନୀର

ଶଶୀ ମୁଖେ ସତେ କଳଙ୍କ ଗାର-ନୟନ ନୀର

ବିରହିଣୀ ଅଭିମାନିନୀ ଧନୀ

ଭୂଷଣ ତେଜିଲା ତା’ର ।

ଯାଇଛି ଲଳିତା ଘେନି କି ବାରତା

ଆସିବ ଚାହିଁଛି ପଥ ତାହାର ।।୧।।

ନିଶି ହେଲା ପାହାନ୍ତି

ଚେତାଇ ଦେଲାଣି କଜଳ ପାତି

ହେଲା ପାହାନ୍ତି ।

ଆଭରଣ ତେଜି ଗୁମାନେ ବସିଲା

ରାଈମଣି ସହି ବିରହ ତାତି ।।୨।।

 

(୨୪)

 

ଗଞ୍ଜଣା ସହେ ରାଈ କଳନା ତ ତା’ର ନାହିଁ

ନୀର ବହେ ଝରଝର ଝର

ଅସରା ତା ଦିବାନିଶି -ଆପଣା ଯେ ପର

(ରାଈ) ଚନ୍ଦ୍ର ବଦନୀ ଧନୀ, ଖୋଜେ ମନଚୋର ।।୧।।

ଅଳପ ବୟସୀ ସେ ଯେ ନିଦ ନାହିଁ ଫୁଲ ଶେଜେ

ହେଜେ ସତେ କଣ୍ଟା ପରକାର ।

କେତେ ସହିବ ଛଇଳା ସତେ କଟୁ ଗୀର

ଚନ୍ଦ୍ରବଦନୀ ଧନୀ ଖୋଜେ ମନଚୋର ।।୨।।

ରାଈର ଗଞ୍ଜଣା ଶୁଣି ଘନଶ୍ୟାମ

କୁଞ୍ଜେ ବସିଲେ ଭାଳି

ବିଧିର ବିଧାନ କେ କରିବ ଆନ

କହେ ଆସି କେଉଁ ଆଳି,

ଖେଦେ ରାଈ ଆଗର ।।୩।।

ରାଈ ଗୋ ! ଏ ଦୁଃଖ ରହିବ ନାହିଁ

କୁସୁମ ଫୁଟିବ ବସନ୍ତ ଆସିବ

କୋଇଲି ଉଠିବ ଗାଈ ।

ଘନ ଘନ ଅପଘନ ଛନ ଛନ କମ୍ପନ

ଉଦିବେ ଯେବେ ଗୋ ଶ୍ୟାମଚନ୍ଦ୍ର

ଘନ କଳା ଘନ କୋଳେ ଆଶାର ତାରକା ମେଳେ

ଗରଜି ଉଠିବ ମେଘମନ୍ଦ୍ର ।

ଅନ୍ଧାର ନିଶିଶେଷେ ନୀଳ ଗଗନେ ହସେ

ଯେବେରେ ଅମଳ ନବଶଶୀ

ଯୁଗଳ ମିଳନ ହେରି ଜୀବନ ଯିବ ଭରି

ରାଈ, କାହ୍ନୁ ଦେଖି ହସି ହସି

ରହିବ ନାହିଁରେ ।

କବିଶଶି କହେ ଦୁଃଖ ରହିବ ନାହିଁରେ ।

ରାଈ ମନେ ଆନ ନ ବିଚାରେ ।

 

(୨୫)

 

(ବିରହ)

ଗୁରୁ ବିରହ ଅନଳ

ମାନେ କି ନୟନ ଜଳ

ଜାଳେ ବୁକୁ ଅତି ପରଖର

ଚଣ୍ତ ତପନ କର-ଆତପ ତାପ ତ ଛାର

ଦହେ ସେ ତ ଶରୀର ମାତର ।।୧।।

ଯମୁନାର ବାଲୁଚରେ

ଦଗଧ ପରାଣ ହେରେ

ଛାୟା ମରିଚିକା ରଚେ ମାୟା

ଶୀତଳ କରିବ ଭାଳି

ଆଶାର ଆଶାରେ ଭଳି ଧାଏଁ ଭସାଇ ନେବାକୁ କାୟା

ଆଉ ତ ଚେତନା ନାହିଁ ତା’ର ।।୨।।

 

(୨୬)

 

ଗୋକୁଳଚନ୍ଦ୍ର ବିଜେ ଆକୁଳ ନନ୍ଦ

କୁସୁମ ବିକାଶ ନାହିଁ ସମୀରଣ ମନ୍ଦ ।।୦।।

ଯମୁନା ପୁଲିନ, ନବ ବୃନ୍ଦାବନ

ଭୁଲିଲ ସତେ ଗୋବିନ୍ଦ,

ମଦନ ମୋହନ, ରୂପ ଝୁରିଝୁରି

ନନ୍ଦ ନୟନ ଅନ୍ଧ ।।୧।।

ରାଈ ନୟନରୁ ନୀର

ଝରୁଅଛି ଅନିବାର

ଅଶନ ବସନ-ମଣେ ସବୁ ଅକାରଣ

ବିଷ ତ ସୁମନ ଗନ୍ଧ

ଏତେ ନିରିମମ ହେଲ ଘନଶ୍ୟାମ !

ଜାଣ ସତେ କେତେ ଛନ୍ଦ ?

 

(୨୭)

 

ଗୋଠେ ବିଜେ ନାଗର-ନନ୍ଦ କିଶୋର ।

ଆଗରେ ଗୋଧନ-ପଛେ ବରଜ ଗୋପାଳ ।।୦।।

କନକ ନୂପୁର ପଦେ-

ନାଚେ ତିନି ଭଙ୍ଗି ଛନ୍ଦେ-

କିଙ୍କିଣୀ କିଣି କିଣି ବାଜୋ

ନୀଳତନୁ ପୀତବାସ

ଘନେ ବିଜୁଳି ପ୍ରକାଶ

ଶିରପର ଶିଖୀ ଶିଖା ରାଜେ

ଦୋଳି ଖେଳେ ଗଳେ ବନମାଳ ।।୧।।

ଥିର ସୌଦାମିନୀ ସରି

କିଏ ସେ କନକ ଗୋରୀ

ଶୁଣି କାହ୍ନୁ ମୂରଲୀର ସ୍ୱରେ ।

ଅସମ୍ଭାଳ ବେଶ, ବାସ

ଅସଜାଡ଼ ନୀଳ କେଶ

ସଉଧର ଚୂଳେ ଆସି ହେରେ

ପ୍ରେମେ ତା’ର ତନୁ ଟଳମଳ ।।୨।।

ସଖୀଏ ଆସିଲେ ଧାଇଁ

କିଶୋରୀର ଚେତା ନାହିଁ

ଦେଖି ଆହା ଆହା କହେ କିଏ

ଦୂରୁ ହେରି ଯେବେ ଏତେ

ପାଶେ କି ନୋହିବ ସତେ !

ସଖା ମେଳେ ଚାହେଁ ଶ୍ୟାମରାଏ

ହେଲା ସିନା ତା’ର କଳା କାଳ ।।୩।।

 

(୨୮)

 

ଘେରି ଘନ ବାଦଲ ଦାମିନୀ ଝଲମଲ

ଭରି ଉଠେ ଯଦି ବାରୀ ଧାରେ ।

ବିଜୁଳି ଡରେ ଚମକି ଚାତକି ରହିବ କି

ପିପାସା କି ତା’ର ନ ନିବାରେ ? ।।୦।।

ଜୀବ ତା’ର ନବଘନ କରୁଶିଳା ବରଷଣ

ପଡ଼ୁ ପଛେ ମସ୍ତକେ ବଜ୍ର l

ପଥର କରିଛି ଛାତି ଆଉ କି ମରଣେ ଭୀତି

କି ଛାର ତାହାର ମାନ-ଲାଜ l

ପଥଚାହିଁ ଆତୁର ଅଧୀରେ ।।୧।।

ଉଦି ନବସୁନ୍ଦର ପୂର୍ଣ୍ଣ ସୁଧାକର

ପୁଣି ଶୁଭ ଚାନ୍ଦିନୀ ରାଜେ,

କାଳ ନିଶାଗତ ଶୁଭଦିନ ଆଗତ

କୁଞ୍ଜେ ମୁରଲୀ ପୁଣି ବାଜେ

ନିରବଧି ରାଇ ରାଇ ସୁରେ ।।୨।।

 

(୨୯)

 

ଘୋର ଗରଜେ ଘନ ନଭ ତଟ ଛାଇଲା

ଦାମିନୀ ଚମକ ଚେତାଇ

ମତ୍ତ ମୟୂର ନାଚି ଷଡ଼ଜ ଶୁଣାଇଲା

ଗିରି-ଦରି-କାନନ ମତାଇ ।।୦।।

ଦୂରୁଦୂରୁ ହିଆବର କମ୍ପିତ ଅନିବାର

ବନ ପଥେ ଶଙ୍କିତ ରାଈ,

ମକ ମକ ଡାକେ ଭେକ ଡାକେ ବନେ ଡାହୁକ

ଝିଲ୍ଲୀ ନୟନେ ନିଦ ନାହିଁ ।।୧।।

ରାଈ ଅଭିସାରୀକା

ଘର ପର କରି ପାଗଳିନୀ

ରାଈ ଅଭିସାରିକା

କୁଞ୍ଜ ଭବନ ସଙ୍କେତ

ରାଈ ଅଭିସାରିକା

ଶ୍ୟାମ ଦରଶ ଆଶରେ ଧନୀ ଅଭିସାରିକା

ବନ ଘନେ ଦାମିନୀ-ହେରି ସେ ବିନୋଦିନୀ

ନୀଳ ବାସ ମଣ୍ତିଛି ଅଙ୍ଗେ,

ନୀଳମଣୀ ଅଙ୍କରେ ଖେଳିବ ନିଃଶଙ୍କରେ

ଜଡ଼ି ଯିବ ଶ୍ୟାମଘନ ସଙ୍ଗେ ।

କେ ପଚାରେ କୁଳମାନ-ତନୁମନ ଛନଛନ

ଶୁଣି ସେ ମୁରଲୀ ଡାକେ ରାଈ ।

ସେ ନବ କିଶୋରୀ

ଝୁମି ଚଳେ ଅମଳ କି ଖାଇ ।।୨।।

 

(୩୦)

 

ଚିହ୍ନା ଚିହ୍ନା ପରି ଲାଗେ ଚିହ୍ନି ନୁହେଁ ତାକୁ ଗୋ

ଜଣାରେ ସେ ଅଜଣା ସବୁରି

ଘଟେ ପଟେ ଥାଇ ସେ ଯେ ଦୂରେ ପାଶେ ଘୂରେ ଗୋ

ଧରା ଦେଇ ଧାଏଁ ଚୋର ପରି ।।୦।।

ମନର ଭିତରେ ଥାଇ ଲୁଚକାଳି ଖେଳେ ଗୋ

ଦରହସା ମାରି ସେ କହ୍ନାଇଁ

ଆଚମ୍ବିତେ ନଟବର ପାଶେ ପରବେଶ ଗୋ

ଅଚିହ୍ନା ସେ ଧନୀ ଚିହ୍ନେ ନାହିଁ

ରାଈ ଗୋ ! ସେଇ ତୋର କଳାଶଶି

କନକ ଗୋରୀରେ ଝୁରିମରୁ ଯା’ରେ

ନିଶିଦିନ ଆଶ କରି ।।୧।।

ଶୟନେ ସପନେ ଧନୀ, ସତ କହ ଗୁଣମଣି ।

ନୟନେ ତୋ ନ ଯାଏ କି ଦିଶି ।

ମୁଁ କି ଚିହ୍ନାଇବି ତୋତେ ମନକୁ ପଚାର ଗୋ

ସେହି ନା ସେ ବରଜର ଶଶୀ

ଝୁରାଇ ଝୁରଇ ସେ ଯେ କନ୍ଦାଇ କାନ୍ଦଇ ଗୋ

ହସି ହସାଇବା ଦେଖା ନାହିଁ

ସେ ନୁହେଁ କାହାର, ପୁଣି ହୁଅଇ ଯାହାର ଗୋ

କପାଳେ ତା ଦୁଃଖ ଲେଖାଥାଇ ।।୨।।

 

(୩୧)

 

ଜାଗରେ ରଙ୍କୁଣୀ-ଅଙ୍କନିଧି ମୋର

ଜାଗରେ ଶ୍ୟାମ କହ୍ନାଇଁ

ଜାଗରେ ମନ୍ଦସମୀର ବହେ ଧୀର

ଫୁଲ ବନ ଗନ୍ଧ ଚୋରାଇ ।।୦।।

ଶମ୍ଭୁଆଳେ ଶୁଭେ କମ୍ଭୁସ୍ୱନ ଏବେ

ଦିଗଦିଗନ୍ତ ଶୁଣାଇ ।

କୃଷ୍ଣ କୋକ ବୋଲି ହଳଦି ବସନ୍ତ

ଶାଖେ ଶାଖେ ଦିଏ ରାଈ ।।୧।।

ଦାମ, ସୁଦାମ, ମଧୁ ମଙ୍ଗଳ ସଙ୍ଗରେ

ଡାକେ ବଳରାମ ଭାଇ

ଦଧି ମନ୍ଥନ କରି ରଖିଛି ଲବଣୀରେ

ଉଠ, ମୁଖ ଧୁଅ ବାବୁ ଯାଇ ।।୨।।

ତରୁଣ ଅରୁଣ ନଭ ମଣ୍ତଳେ ରାଜିଲା

ଆସ ଆଉ ନରହ ଘୁମାଇଁ

ଦ୍ୱାରେ କବିଶଶି ପ୍ରଣତି ଜଣାଏଁ

ମଙ୍ଗଳ ସଙ୍ଗୀତ ଗାଇ ।।୩।।

 

(୩୨)

 

ଜାଗରେ ନାଗରବର ରସସାଗର

ଜାଗରେ ଶ୍ୟାମ କହ୍ନାଇଁ

ଜାଗରେ ଶ୍ୟାମ କହ୍ନାଇଁ

ଜାଗରେ ମନ୍ଦ ସମୀର ବହେ ଧୀର

ଫୁଲବନ ଗନ୍ଧ ଚୋରାଇ ।।୦।।

ବାସଜଳେ ମୁଖ ପଖାଳ ମୋହନ-

ଲବଣୀ ଶାକର କରିବୁ ଭୋଜନ

ମଣ୍ତିଲେଣି ଆସି ଉଦିଚି ତୋରଣ

ତରୁଣ ଅରୁଣ ତୋରେ ଚାହିଁ ।।୧।।

ଦାମ ସୁଦାମ ତୁଲେ ମଧୁମଙ୍ଗଳ-

ସଖାଗଣ ଆସି କରିଲେଣି ଗୋଳ

ଉଠ ଉଠ କାହ୍ନୁ ଗଡ଼ିଯାଏ ବେଳ

ନ ରହ ତୁ ଆଉ ଘୁମାଇଁ ।।୨।।

ଡାକିଲେଣି ତୋତେ ଭାଇ ବଳରାମ-

ଗୋଠେ ଯିବୁ ପରା ଆରେ ଘନଶ୍ୟାମ

ପହୁଡ଼ ଭାଙ୍ଗ ତୁ ଜୀବନ ଜୀବନ

ହମ୍ବା ରାବ ଦେଲେ ଗାଈ ।।୩।।

ପିନ୍ଧ ପୀତବାସ ଆରେ କଳାକାହ୍ନୁ-

ଝଟଙ୍କ ଦିଶିବ ନବଘନ ତନୁ

ପାଶୋରିବ ମନୁ ହେରିତୋ କିଏ

ନାଚ ମୁରଲୀ ବଜାଈ ।।୪।।

 

(୩୩)

 

ଜୟ ଯଦୁନନ୍ଦନ ଗୋପୀ ମନଚନ୍ଦନ

ନଟବର ବେଶ ଗିରିଧାରୀ ।

କମଳ ଚରଣ ତାର ନୂପୁର ବାଜେ

ରୁଣୁ ଝୁଣୁ କାନନ ଚାରୀ ।।୦।।

ଦୈତ୍ୟ ତାପୁଁ ଭବ ଉଦ୍ଧରିଲ ହେଳେ

କେଶି କଂସାସୁର ମାରି ।

ଦଳିତା ପ୍ରୀୟଘନ-ବରନଶ୍ୟାମତନୁ

ରାଧାକୁଞ୍ଜ ବିହାରୀ ।।୧।।

ଅମଳ କମଳ ମୁଖ ଗଞ୍ଜିତ ଶିରୀମୁଖ

ରସ ରଙ୍ଗ ରସକାରୀ ।

ଗୋପ ଗୋପାଳକ ମୟୂର ଶିଖଣ୍ତକ

ଭକତ ପ୍ରାଣ ଦୁଃଖହାରୀ ।।୨।।

 

(୩୪)

 

ଜୀବନ ବଦଳେ ରଚିଲି ଏ ଘର

ଜଳି ପୋଡ଼ି ମଲି ଶେଷେ

ଆଶା କରି ସ୍ୱର୍ଗ-ଗଙ୍ଗାର ଧାର ମୁଁ

ପରାଣ ତେଜିଲି ଶୋଷେ

ହେଲା ଅଭିମାନିନୀ

ନେ ଘେନିଲା ମୋର ଯେତେ ଦୟିନୀ ।।୧।।

ପୀରତି ଲତିକା ସୁମନ ଦେଖି ମୁଁ

ତୋଳି ମନ କଲି ଗେଲେ

କିଏ ଜାଣିଥିଲା ପଥେ ପଥେ କଣ୍ଟା

ଫୁଟିବ ଚାଲିବା ବେଳେ

ଚନ୍ଦ୍ରାବଳୀର ସହି

ଘେନିଗଲା ଚାଟୁ କହି ଭୁଲାଇ ।।୨।।

ନବଜଳଧର ନିରେଖି ଗଗନେ

ବାରିପାନ କଲି ଆଶା

(ସତେ) ଜାଣିକି ଥିଲି ମୁଁ ଅଶନି ପଡ଼ିବ

ବୁଡ଼ିବ ମୋର ଭରସା

ରୁଷି ବସିଲା ରାଈ

ମୋ ଲାଗି ଲଳିତେ କହ ବୁଝାଇ ।।୩।।

 

(୩୫)

 

ଝାଉଁଳି ପଡ଼ିଛି କୁସୁମ କୁଞ୍ଜ

ମଉଳିଛି ବନ ବିଧିକା

ନୟନ ସଲିଳେ ବସନ ତିନ୍ତେ

(ଆଉ) ଜୀବନେ ଅଛି କି ରାଧିକା ?

ସୂର୍ଯ୍ୟ ହରା ଫୁଲ କଳିରେ ସିଞ୍ଚିଲେ

ଜଳ କି ପଲ୍ଲବେ ଲତିକା ? ।।୧।।

ଚନ୍ଦନ ଚାନ୍ଦିନୀ ଗନ୍ଧ-ସମୀରଣ

ଅହି ବିଷ ସତେ ଭଗାରେ

ନିଶିଦିନ ଭାମିନୀ ଅପଲକ ନୟନେ

ଯମୁନାର ତଟ ବିହାରେ

କେଶ ବେଶ ବାସ ପର କରି ଧନୀ

ପ୍ରେମ ଯୋଗ ତପ ସାଧିକା ।।୧।।

 

(୩୬)

 

ଡରନାରେ ଭବ ପରବାସୀ ଜୀବ

ଦେବ ସେ ରେ ନବ ଲଗାଇ ତୀରେ

ଟାକି ବସିଛିରେ ଡାକି ଦେଲେ ତୁରେ

ବେଉସା ଏ ତା’ର ନାଉରୀ ସେ ରେ

ନାହିଁ କୁଳମାନ ତାର-

ଜାତିର ବାଛ ବିଚାର

ଅଳପ ଆଦର ଥାଏ ଚାହିଁ

ଦିନରାତି ଉଜାଗରେ ଥାଇ

ସେ ଯେ ଭାବର ନାଗର ଭାବଗ୍ରାହୀ

ତା’ର ଧନ ରତନରେ ଆଶ ନାହିଁ

ଖାଲି ସରାଗ ଡାକକୁ କାନ ପାରେ ।।୧।।

ଝଡ଼, ବତାସ, ପବନ

ହେଉ ରାତି ହେଉ ଦିନ

ଠୁଳେ ହେଲେ ନ କରେ ଖାତର

ମନ ଘେନି ତା’ର କାରବାର

ସେ ଯେ ଦିଏ ଧରା ପାଇଲେ ଆଦର

 

 

ତା’ର ନାହିଁ ନାହିଁ ପାତର ଅନ୍ତର

ଖାଲି କବିଶଶି ବୁଝି ବୁଝେ ନାରେ ।।୨।।

 

(୩୭)

 

ଢଳି ଢଳି ଆସେ ଶଠ ନଟବର, ସଖୀଗୋ !

ଘୁମେଁ ଢୁଳୁ ଢୁଳୁ ଆଖି

କୁଞ୍ଜ ଦୁଆର ବାରଣ କର

ମାନେ ବସ ବିଧୁମୁଖୀ

ଦେଖଲୋ କିଶୋରୀ

ଝାଉଁଳି ପଡ଼ିଛି ରବି କରେ ସତେ

ଫୁଟା ନୀଳ କଇଁ ଶିରୀ

ଗଗନ କୋଣରେ ଫୁକିଆଁ ଉଇଁଲା

(ଆଉ) ରଜନୀ ଅଛି କି ବାକି ? ।।୧।।

ଗଣ୍ତରେ କିଏ ଦେଲା ଗୋ ପଚାର

ଘନ ସିନ୍ଦୂର ଗାର

ବକ୍ଷରେ କିଏ ରଞ୍ଜି ଦେଇଛି

ଲାକ୍ଷାର ଉପଚାର

ସୂତା ବିନେ ସତେ ଗୁନ୍ଥା ହାର ଗୋ !

କଣ୍ଠେ ଶୋଭଇ ତା’ର

ଛାଡ଼ି ପୀତବାସ, ନୀଳଶାଢ଼ୀ ଆଜି

ପିନ୍ଧିଛି ସେ କାହାର

ଯାଅ ବିଶାଖା ସଖୀ

କେତେ ମତେ ଚାଟୁ ବଣିବ ଆସିଲେ

ଦୂରୁ ଦୂର କର ଡାକି

ଯେ ପଥେ ଆସିଛି ସେ ପଥେ ଫେରୁ ସେ

ଚନ୍ଦ୍ରାବଳୀ ଥିବେ ଟାକି ।।୨।।

 

(୩୮)

 

ଢଳି ଢଳି ଆଜି ରସିକ ଶେଖର

ଆସି ପରବେଶ କୁଞ୍ଜେ ।

କୁସୁମ ବିକଶି, ଅଳି ଦଳ ମିଶି

ରାଈ ମନ ବନ ଗୁଞ୍ଜେ ।

ଧନୀ ନବ କିଶୋରୀ ।

ଘରେ ରହିବ କି ଧଇର୍ଯ୍ୟ ଧରି ? ।।୦।।

ଧନୀ ମନ ଚମକିତ ହିଆ ଘନ କମ୍ପିତ

ନ ପୁଣ ସେ ପଡ଼ିଲା କି ଧରା ।

ଆହା ! ମରି ମରିଯାଏଁ ପଦେ ପଦେ ଲାଖିଯାଏ

ଅଶକତେ ଖସେ ଶିର ଝରା

ସତେ ଚଳି ନ ପାରେ ଗୋ ।

ଗଣବଣା ଏଣୀ ସରି ମରମ ଘାରେ ଗୋ ।।୧।।

ଏଇ ପଥେ ଯାଇଛି କି ନବୀନା କିଶୋରୀ

ଦେଖିଛ କି ଗଲା କାହିଁ ପୁଚ୍ଛେ ବ୍ରଜନାରୀ ।

ପ୍ରେମର ପରଶ ନାହିଁ ଅନ୍ତରେ ଯାହାର

କବିଶଶୀ କହେ ତାକୁ ଦୂରରୁ ଜୁହାର ।।୨।।

 

(୩୯)

 

ତ ବିନେ ନିଶି ଦିନ ତା’ନୟନ ନୀରେ

ଯମୁନା ଉଜାଣି ଖେଳେ ସୁନା ଶିରୀ ସାରେ ।।୦।।

ନଟନ ମୟୂର ଯେବେ-ନାଚ ରଚେ ଗିରିଶିରେ

ତନ୍ଦ୍ରାହରା ନୟନୁ ତା-ଘେରି ନବ ମେଘ ଖେଳେ ।।୧।।

କୁହୁ କୁହୁ ଡାକେ ଯେବେ-ବନପ୍ରିୟ ବନ ଧାରେ ।

ଫୁଲ କୁଞ୍ଜ ତଳେ ବାଜ-ସତେ ହିଆ ତାର ଚିରେ ।।୨।।

ଆସ କାହ୍ନୁ ଆସ ଥରେ ଫେରିଆସ ବ୍ରଜପୁରେ

ସେ ଯେ ତବ ବିନେ-ଭୂମି ଶୟନରେ ଲୁଟି ସରେ ।।୩।।

 

(୪୦)

 

ଥରେ ବଜା ଶ୍ୟାମ ମୁରଲୀ

ମନ କୁଞ୍ଜବନେ ବିହରି ବିହରି ।।୦।।

ଫୁଲ ଗନ୍ଧ ଚଳେ-ମନ ଦୀପ ତଳେ

ଯମୁନାର ହଳେ ଚାହିଁ ପ୍ରୀତି ଭୋଳେ

ନିତି ଚାହିଁ ଚାହିଁ-ନିଶି ଦିନ ନାହିଁ

କେବେ ଗାଇବ ମୋହନ ରାଈ ରାଈ

ଧନୀ ପ୍ରେମ ଭରେ ଶିହରି ଶିହରି ।।୧।।

କେବେ ରାସ ରଚି-ଗୋପୀ ସଙ୍ଗେ ନାଚି

ମୂରଲୀ ବଜାଇ-ରସେ ଭୋଳ ହୋଇ

ନିଶି ବିତାଇବ ବିହରି ବିହରି ।।୨।।

 

(୪୧)

 

ଚଳେ କୁଞ୍ଜେ କିଶୋରୀ ରାଈ, ହୋଇ ବାଇ

କାଳ କୁଳମାନ ଭୁଲିଯାଇ, ହୋଇ ବାଇ

ସାଇଁ ସାଇଁ ନିଶା ଗରଜଇ

ପଥ ଅନ୍ଧାରେ ନ ଦିଶଇ

ଗଗନେ ତାରକା ଝଲମଲ ଦିଶେ

ଶଶୀ ଦରଶନ ନାହିଁ, ଚଳେ ରାଈ ।।୧।।

ନୀଳ ବସନେ ତନୁ ଜଡ଼ାଇ ।

ପାଦୁଁ ନୂପୁର ଦେଲା ଫିଟାଇ

ପାଗଳ କରିଛି ମୋହନ ମୂରଲୀ

ଚେତନା ଦେଇ ହରାଇ, ଚଳେ ରାଈ ।।୨।।

ଶ୍ୟାମବନ୍ଧୁ ମିଳନ ଧ୍ୟାୟି,

ଶ୍ୟାମ ତନୁର ପରଶ ପାଇଁ

ନିଶି ଅଭିସାର କରଇ ଚତୁରୀ

ଆନ ଚିନ୍ତା ମନେ ନାହିଁ ଚଳେ ରାଈ ।।୪।।

 

(୪୨)

 

ନବଘନ ଚନ୍ଦ୍ର ଉଦେ କୁଞ୍ଜବନେ (ସଖୀରେ) ! ।।୦।।

କାମ ଗର ହର କାନ୍ତି ମନୋହର-

ଠାମ ଝଲମଲ ରାଜେ ତ

କୁଞ୍ଜ ସୁବିମଳ ଚାରୁ ପଦତଳ

ନୂପୁର ଝୁମୁଝୁମୁ ବାଜେ ତ

କଟୀ ତଟେ କିଙ୍କିଣୀ, ଗୋପି ମନ କିଣି

ସାରିଦିଏ କିଶୋରୀ ଗୁମାନେ ।।୧।।

ରାଈ ମନ ଭରି, ଡାକଇ ମୁରଲୀ

କାନନ ସଞ୍ଚରୀ ଆସେ ତ

ନୀଳ ଯମୁନା ନୀର ଉଛୁଳେ କଲ୍ଲୋଳ

ପବନ ହିଲ୍ଲୋଳେ ଭାସେ ତ ।

ବ୍ରଜପୁର ନାଗରୀ- ରାଈ କନକ ଗୋରୀ

ଚାଲେ ଭୁଲି କୁଳ ତ ନ ମାନେ ।।୨।।

 

(୪୩)

 

ନନ୍ଦ କୁଳଚନ୍ଦ୍ର ବ୍ରଜରାଜ ନଟ ନାଗର

ବେଣୁଧର ଗୋପବଧୂ ସୁରତି-ରସସାଗର

ସଖୀରେ ।

ଆସିବେ ଆଜି ପୁରେ ମୋ ମନଚୋର ।

ସାଜ ସଜ ସମୁନ ଦଳ ଛାଇ ଶେଜ ସୁନ୍ଦର ।।୦।।

ଇନ୍ଦ୍ର ନୀଳମଣି ବିଦିତ କାନ୍ତି

ଚରଣ ତଳ କଞ୍ଜ ଦଳ ଭ୍ରାନ୍ତି

ନୀଳ ଘନେ ବିଜୁଳି ଛଇ ଶୋଭା

ପୀତ ପଟ ମନ ନୟନ ଲୋଭା

ଗୁଞ୍ଜେ ପଦେ ରୁମୁଝୁମୁ ନୂପୁର ।।୧।।

ଶୁଣ ସଜନୀ ଦୂରବନ ଛାଇ

ଡାଳେ କାହ୍ନୁ ମୁରଲୀ ରାଈ ରାଈ

ବନ୍ଧୁ ମୋର କୁଞ୍ଜ ବିନୋଦିଆ

ଜଞ୍ଜାଳିଆ ଚନ୍ଦ୍ରକ ଚୂଳିଆ

ଡରିବେଟି କାଳେ ନିଶି ଅନ୍ଧାର ।।୨।।

ଯାଅ ସହି, ଆଣ ପଥ ମଣାଇ

ଅପଲକ ଆଖି ଥିବ ଅନାଇଁ

ଦଣ୍ଡକ ହେଲାଣି ଦଣ୍ଡ ସମାନ

ସହି ନୁହେ କାମ- ଚଣ୍ଡ ଦହନ

କବିଶଶି କୁଞ୍ଜେ କରେ ଜୁହାର ।।୩।।

 

(୪୪)

 

ନବୀନ କିଶୋର !

ଦୁଃଖ ତୋର ଫାଟେ ହିଆ ମୋର

ଯେ ଅଙ୍ଗେ ଯଶୋଦା ଦିଏ

କୁଙ୍କୁମ କସ୍ତୁରୀ ।

ଲେପିବି ମୁଁ ଅଭାଗିନୀ ବିଭୂତି କିପରି ?

ରୋହିଣୀ ସଜାଏ ଯହିଁ ରୋଚନାର ବିନ୍ଦୁ

ତିଳକ କିପରି ଦେବି ତହିଁ ରସ ସିନ୍ଧୁ ?

ଯେ କରେ ଶୋଭଇ ଶ୍ୟାମ ମୋହନ ମୁରଲୀ

ସେ କରେ ତ୍ରିଶୂଳ ଦେବି କହ କିସ ବୋଲି ?

ଯେ ଗଳେ ପିନ୍ଧାଏ ରାଈ ବନଫୁଲ ହାର

ଅଭାଗିନୀ ଦେବି ମୁହିଁ ରୁଦ୍ରାକ୍ଷର ଭାର ।

କଇଳାସେ ବସି ହର ଯା ଚରଣ ଧ୍ୟାଏ

ସେ ହରି ଶ୍ରୀମୁଖେ ଆଜି ହରହର ଗାଏ ।

 

(୪୫)

 

ନବ ନଟବର ନାଗର ଶେଖର

ମୁରଲୀ ବଜାଉ ଥାଏ ।

ଘର କୋଣେ ପରା- ନାରୀ ମନ ଘାରି

ରାଧା ରାଧା ରାଧା ଗାଏ ।।୦।।

କୁଞ୍ଜରେ ଯେବେ ସଞ୍ଜ ସମୀର

ବଧୁଲୀ ଅଧର ଛୁଏଁ ।

ଗୁଞ୍ଜରୀ ଅଳି, ମଲ୍ଲୀ କଳିର

କାନେ ଚାଟୁ କଥା କହେ ।

ଶଶି ଅନାଇଁ ରହେ ।

କୁଞ୍ଜ ଦୋଳାର ପତର ଉହାଡ଼େ

ଲୁଚି ଛପି ଶଶି ଅନାଇଁ ରହେ ।।୧।।

ନୀଳ ଘନୁ ଖସି ଦରହସି ଶଶି

କୁଞ୍ଜ ଦୋଳାରେ ରସି ଅନାଏଁ

(ତେଣେ) କଳାଶଶି ବାଇ ରାଈ ପଥ ଚାହିଁ

ବନ ପଥେନୀର ନୟନେ ଚାହେଁ

ଆତୁରେ ପଲକ ପାସୋର ଯାଏ

ଚେତା ହଜାଏ

ବନ ପଥେ ନୀର ନୟନେ ଚାହେଁ ।।୨।।

(ଏଣେ) ଘର ସାତ ପର, ରାଈ ତରତର

ଛଳେ କୁମ୍ଭ ଘେନି ଯମୁନା ଯାଏ

ରାଧାନାମ ଧରି ଲହରୀ ପହଁରି

ମୁରଲୀ ଶବଦ ଉଜାଣି ଧାଏଁ

କାନନ ଛାଏ

ସତେ କି ରାଇର ପଦ ନଚାଏ ।।୩।।

 

(୪୬)

 

ନାଚ ଶ୍ରୀ ନନ୍ଦ ଦୁଲାଳ (ହରି)

ଶ୍ୟାମ ଜଳଧର ଜିତ ବରନଧର

ନବୀନ କିଶୋର କହ୍ନାଇଁ ଗୋପାଳ ।।୦।।

ନାଚ ତ ଗୋପୀନାଥ ମୋହନ ମୁରଲୀ ହାତ

ଚାରୁ ଶୀଖି ମୁକୁଟ ଶିରପର ଶୋଭିତ

ନୂପୁର ସିଞ୍ଜିତ ଚରଣେ ଅଲକତ

ଝୁମୁରୁମୁ ଝୁମୁରୁମୁ ମଧୁର ତାଳ ।।୧।।

ଶୁଣି ସେ ମଧୁର ସ୍ୱନ-ବୃନ୍ଦାବନ ବନ

ତରୁ ଲତିକା ସୁମନ-ହୋଇ ପୁଲକିତ ମନ

ନାଚୁ ନଚାଇ ଭୁବନ-ନୀଳ ଗଗନ ପବନ

ଶଶି ତାର ହୋଇ ପ୍ରେମ ଭୋଳା ।।୨।।

 

(୪୭)

 

ନାଚେ ନଟବର ତିନିଭଙ୍ଗି ଛନ୍ଦେ-

ତାଳେ ତାଳେ ମନୋହର

ଚରଣ ନୂପୁର ଝୁମୁରୁମୁ ନିନାଦଇ

ଚାରୁ ଚରଣ ଚୁମ୍ବି କିଙ୍କିଣୀ ବାଜଇ

ପୀତ ଧଡ଼ା କିବା ଶୋଭାକର ।।୦।।

ନବଜଳଧର କୋଳେ ଦାମିନୀ ଭାମିନୀ

ତ୍ରିଭୁବନ ଜନମନ ମୋହେ

ଗଳେ ମାଳତୀ ମାଳା

ତାଳେ ତାଳେ ସତେ ରଚଇ ଖେଳା

ସେ ମାଳତୀ ମାଳା

ନୀଳ ଜଳଧି ଅଙ୍କେ ଏ କିବା

ଫେନ ଲହରୀ ଛନ୍ଦେ ଲୋଳା

ସେ ମାଳତୀ ମାଳା ।।୧।।

ମୂରଲୀ ମନୋହର ସାଜଇ ଶିରୀକର

ରାଈ ସୁରେ ଭରେ ଗୋପପୁର

କେବେ ହେ ନଟୁଆ ହରି ନାଚିବ ସେ ରୂପଧରି

ଚାହିଁଛି ଏ ପୋଡ଼ା ଆଖି ମୋର ।।୨।।

 

(୪୮)

 

ନିନ୍ଦିତ ନବଘନ ଛବି ମଦନ ମୋହନ

ତଡ଼ିତ ବସନ ପୀତବାସ

ଚାନ୍ଦ ବଦନ ଭରି ବଧୁଲି ବରନ ହରି-

ଅଧରେ ଶୋଭଇ ଦରହାସ l

ତା’ର ଉପମା ସେ ତ ନାହିଁ ସରି ତ୍ରିଜଗତ

କୋଟି ରବି ଶଶି ପରକାଶ ।।୧।।

ତହିଁ ଅତି ପରିମଳ

କଣ୍ଠ ମାଳତୀ ମାଳ

ଅଳିକୁଳ ଗନ୍ଧେ ଆକୁଳ

ନୀଳ ଯମୁନା ତୀରେ ଉଭା ମନ ଲୋଭା ସେ ରେ

ହେରି ରତି ଲଭେ ତ ପରାଶ

ଚରଣ କମଳ ମଧୁ ପିଆସୀ ବରଜ ବଧୂ

ପ୍ରେମ ମିଳନ ଅଭିଳାଷ ।।୨।।

 

(୪୯)

 

ନିରିମଳ ଚନ୍ଦ୍ରିକା, ଗଗନେ ବିରାଜିତ

କୋଇଲି କୁହୁ କୁ ଶୁଣାଏଁ

ରାଈ ମଗନ ମନ- ଛନଛନ କମ୍ପନ

କୁଞ୍ଜେ ବିଜୟ ଶ୍ୟାମରାଏ ।।୦।।

ଯଶୋମତୀ ସୁମତୀ ଘୁମ ଅଚେତ ଅତି

ଗୁରୁ ଗରଜଇ ଘନରାତି

ଶେଜ ତେଜ ସୁନ୍ଦର ଚଳେ ଧନୀ ମନ୍ଦିର

ନୂପୁର ଚହଳେ ଥରେ ଛାତି ।

ନିରତ ରଜନୀଦି ଧ୍ୟାନ ମଧୁ ମିଳନ

ରାଈର ପୀରତି ଚେତାଏ ।।୧।।

ରାଈ ମୂରତି ଝୁରି- ଚଞ୍ଚଳ ଚିତ୍ତ ହରି

ଦରଦର ନୀର ଝରାଏ

ବ୍ରଜ ପଥ ରଜିତ ଶ୍ୟାମ ନୟନ ନୀରେ

କାହ୍ନୁ ଚଳେ ଅନ୍ଧ ପରାଏ ।।୨।।

 

(୫୦)

 

ପୀରତି ଲାଗି ମୁଁ ପ୍ରେମ ବଇରାଗୀ, ରାଈ ପ୍ରେମ ମନୋହର

ପୀରତି ଧରମ ପୀରତି କରମ

ଆଉ ସବୁ ମୋର ପର ।।୦।।

ରାଈ ବରନରେ ପିନ୍ଧେ ପୀତବାସ

ମୁରଲୀରେ ସଦା ସାଧେ

ରାଈ କେଶ ସରି ଯମୁନା ବାରିଗୋ

ତୀରେ ଡାକେ ରାଧେ ରାଧେ ।।୧।।

ତା’ ନୟନ ଛଇ ଖେଳେ ଚନ୍ଦ୍ରିକାରେ

ଘେନି ଥାଏ ସଦାଶିରେ ।

ରାଈ ପ୍ରେମ ଲାଗି ଭିକ୍ଷା ମାଗି ମାଗି

ଯାଉ ଏ ଜୀବନ ଗଲେ ।।୨।।

ରାଈ ଲାଗି ସିନା କୁଙ୍କୁମ ଚନ୍ଦନ

ସୁବାସ କୁସୁମ ଲାଗି

ସଫଳ ମଣିବି ଜୀବନ ଜନମ

ତା’ ଲାଗି ହେଲେ ମୁଁ ଯୋଗୀ ।।୩।।

 

(୫୧)

 

ଦେଖଗୋ, ମାନିନୀ ରାଇ !

କପଟ ନଟ ନାଗର- ଆଗତ କୁଞ୍ଜରେ

ଶଶି ନିଶି କାହିଁ ବିତାଇ ।।୦।।

କୁଞ୍ଜ ଦୁଆରେ ଥାଇ ।

ପଚାରେ ଲଳିତା ସହୀ

ତିଳେ ହେଲେ ମୁଖେ ଲାଜ ନାହିଁ

କାହ୍ନୁଁ ଚୋର ଆଚରଣ-

କରିଛ ସତେ ବରଣ

ଲୁଚି ଲୁଚି ଯାଉଅଛ କାହିଁ ? ।।୧।।

ଆକାଶ ଶୋଭା ନିଳିମା-

ଶ୍ରୀ ଅଙ୍ଗେ କରିଛ ଜମା

ଫୁଟା ନୀଳ କମଳର ଛାଇ,

ଚରଣେ ରଙ୍ଗ କମଳ-

ସୁଷମା କରିଛ ଠୂଳ,

କହ ବନ୍ଧୁ ନାହଁକି ଚୋରାଇ ? ।।୨।।

ଯମୁନାର ପଥେ ଘାଟେ

ନୀପବନ ଉପକଣ୍ଠେ

ଏକାକିନୀ ହେରି ବ୍ରଜ ଗୋଇ

ସର, ନବନୀତ, ଦହି-

ବଳେ ଖାଇତ ଛଡ଼ାଇ

ବନେ କାହିଁ ଲୁଚି ଯାଅ ଧାଇଁ ।।୩।।

ଏତକ ଅଣ୍ଟିଲା ନାହିଁ-

ମୁରଲୀରେ ଡାକି ରାଈ

ଧନୀମନ ନେଲ ତ ଚୋରାଇ

ଜଣା ପଡ଼ିଲାଣି ଢଙ୍ଗ-

ରଖ ନଟବର ରଙ୍ଗ,

ନିଜ ପଥେ ଫେର ହେ କହ୍ନାଇଁ ।।୪।।

ଅଧୀର ନଟନାଗର-

ଝରିଲା ନୟନୁ ନୀର

ଲଳିତାରେ କହିଲେ ବିନୋୟୀ ।

ଅନୁରୋଧ ରଖି ମୋର

ରାଈ ପାଶେ ଜଣାକର

କ୍ଷମୁ ମୋର ଦୋଷ ମାନମୟୀ ।।୫।।

ମିଳିଧନୀ ପାରୁଶରେ-

ଦେଖିଲା ତା ପଦ ତଳେ,

ଶ୍ୟାମ ନାମ ଅଛି ଲେଖା ହୋଇ ।

କବି ଚନ୍ଦ୍ର ଜୁହାରିଲା-

ଲଳିତା ଚମକି ଗଲା,

ଏ କି ଆଚମ୍ବିତ ବୋଲି କହି ।।୬।।

 

(୫୨)

 

ବୁଲି ବୃନ୍ଦାବନ ବନେ କିଶୋରୀ ପ୍ରେମ ଧିଆନେ

ମଦନ ମୋହନ ସାରେ ଦିନ

ପ୍ରେମ ଦରଶ ପରଶ ମନାସି ସେ ପୀତବାସ

ନୀରଭରା ନିରଜ ନୟନ ।।୦।।

ପ୍ରେମ ଲାଗି ରାଈ ନାମ ବାଇ ବନମାଳୀ

ପ୍ରେମ ତା’ର ଜପମାଳା, ଜୀବନ ଶଙ୍ଖାଳୀ

ରାଈ ଯିବା ପଥ ଧରି ଶ୍ୟାମ ଚଳେ ଅନୁସରି

ନ ମାନି କଣ୍ଟକ ଘନ ବନ

ଏଡ଼େ ଭାଗ୍ୟ ସତେ ହେବ- ଏ ନୟନ ନିରେଖିବ

ରାଈ ଶ୍ୟାମ ମଧୁର ମିଳନ ।।୧।।

 

(୫୩)

 

ଦେଖିବ ଦେଖିବ ଆସ ସରଗର ହାସ

ନବ ନୀଳ ଘନେ ସଖି, ବିଜୁଳି ବିଳାସ ଗୋ ।।୦।।

ତମାଳ କୋମଳ ତନୁ ସୁନାଲତା ଘେରା

କେତକୀ ଭ୍ରମର କେଳି ଯୋଡ଼ା ମନୋହରା ଗୋ

ଶୋଭାଶୀର ଲୁଟୁଛିରେ

ମଞ୍ଜୁଳେ ବହେ ମନ୍ଦ ମଳୟ-ଶୋଭା ଶିରି ଲୋଟୁଛି ରେ ।

କୁଞ୍ଜେ କୁଞ୍ଜେ ଗନ୍ଧ ବହଇ (ଶୋଭା-ଶୀରି ଲୋଟିଛି ରେ)

କୋଟୀଏ କାମ ମୂରତି ସତେ ପରକାଶ

ରଚଇ ରତିରେ ଘେନି ସୁରତ ବିଳାସ ।।୧।।

 

(୫୪)

 

ଜାଣିଛି ଜାଣଛି ସହି ! କପଟ କହ୍ନାଇ

ମହତ ସାରେ ସେ ମୋର ମୁରଲୀ ବଜାଇ ।।୦।।

ଯେ ଯାହା ପଛକେ କହୁ

ନ ଯିବି ଯମୁନା ଆଉ

ବାଟ ଜଗି ନୀପମୂଳେ ଥାଏ ଉଭାହୋଇ

ଆଖିଠାରି ଡାକେ ଜୁଞ୍ଜେ ତୁହାଇ ତୁହାଇ ।।୧।।

ନଣନ୍ଦ ଗଞ୍ଜଣା ଆଉ

ଶାଶୁ ଜଟିଳାର ଦାଉ

ସତ କହୁଛିରେ ସହୀ, ସହିତ ନୁହଇ

କଳା ରୂପ କାଳ ହେଲା

ବୁଧି ନ ଦିଶଇ ।।୨।।

ବାଟେ ଘାଟେ ଲୋକ ହସା

ବୁଡ଼ିଯାଏ ମୋର ହଂସା

ନାରୀ ମରା ରୀତି ତାର ନ ତେଜେ କହ୍ନାଇ

କହିବୁ ସେ ନ ଡାକିବ ମୁରଲୀ ବଜାଇ ।।୩।।

 

ତାର ପୀରତି କି ମୋର

ଦୂରରୁ କୋଟି ଜୁହାର

ବରଜ ଦାଣ୍ଡରେ ଆଉ ଚାଲି ନ ପାରଇ

ତା ଲାଗି ଯମୁନା ଜଳେ ଝାସ ଦେବି ସହି ।।୪।।

 

(୫୫)

 

ବସନ୍ତ ଯେବେ ଗୋ ଡାକ ଦେଲା ଆସି

କୁଞ୍ଜ ଦୁଆରେ ତୋର l

(ଆଉ) ଥରାଇଲା ତନୁ ଥିରି ଥିରି ଛୁଇଁ

ମଳୟ ସମୀର ଚୋର ।।୦।।

ରାଈ ମଠ ନ କର

ଏ ଶୁଭ ଲଗନ ଯାଏଟି ବିତି ଗୋ, ମଠ ନ କର ।

ମଉଳି ଯିବ ତୋ ବଉଳ ହାର,

ତୁ ମଠ ନ କର

କନକଲତା ଗୋ ମିଛେ ଏକା ଏକା

ମଧୁ ଯଉବନ ଶିରୀ ନ ସାର, ମଠ ନକର

ଏଇ ଶୁଣ ସଖୀ, ଫୁଲ କାନେ କାନେ

ଡାକେ ମହୁପିଆ ପୀରତି ଚୋର-

ତୁ ମଠ ନ କର ।।୧।।

ହେର ରସର ସାଗର-ହଟିଆ ନାଗର

ଚାହିଁ ତୋ ପଥ ଅଧିର-ଆଉ ମଠ ନକର

ଦାମିନୀ ସରି ରାଈ-କଳାଘନେ ଖେଳେ ସହି !

କନକ ଲତା ଗୋ, ସେ ଯେ ତୋର

ଚଳ ମଠ ନ କର ।।୨।।

 

(୫୬)

 

ବନ୍ଧୁଆ, ବନ୍ଧୁଆ, ବନ୍ଧୁଆ

କେ’ ସେ ଯମୁନାର ତୀରେ ?

ନବଘନ ସୁନ୍ଦର ମୁରଲୀ ମନୋହର

ରାଧା ରାଧା ଉଚ୍ଚାରେ ।।୦।।

ଏ ତିନି ଜଗତେ ଭରି ନାହିଁକି ସୁନ୍ଦରୀ

ମୂରଲୀ କାହିଁକି ଡାକେ ରାଧା ?

କହ ନାଗର ବର କେ ବା ସେ ନାଗରୀର

ପ୍ରେମ ପାଶେ ଆଜି ଶ୍ୟାମ ବନ୍ଧା

କାହିଁ ସେ ଗୋପପୁର ମୋହନ ନଟବର

କାହିଁ ନବ ଚତୁରୀ ରାଈ

ଆକୁଳ ଅନ୍ତର ଅଥୟ ନିରନ୍ତର

ଥନ ଥନ ନୀର ଝରାଇ ।।୧।।

 

(୫୭)

 

ବନ୍ଧୁ ହେ ! କିଶୋରୀ ସହିବ କେତେ ?

ତୁମେ ଯଦି ବନ୍ଧୁ ନ ବୁଝ ସଖିର

ପରାଣର କଥା ଯେତେ ।।୦।।

କନକ ଲତାଟି ସରି ଢଳି ଢଳି ଆସେ ଗୋରୀ

ଚଳନେ ଶକତି ନାହିଁ ତା’ର ।

ଶୟନ ଭୋଜନ ଧନୀ ତେଜିଛି ଚନ୍ଦ୍ରବଦନୀ

କେଶ ବେଶ କରିଛି ସେ ଦୂର

ଅଛି ସେ କଦମ୍ବତରୁ ଅଛି ବୃନ୍ଦାବନ

ତବ ବିନେ ଶୂନ୍ୟ ସବୁ ମଦନ ମୋହନ

କୁହୁ ଗାଏ ପୀକ କାନେ ଶୁଭେ ଉହୁ ଉହୁ

ତବ ରୂପ ତା’ ନୟନେ ଦିଶେ ମୁହୁ ମୁହୁ

କି ବୋଇଲେ କିସ ବୁଝେ ସେ କିଶୋରୀ

କି କରୁଁ କରେ ସେ କିସ ?

ତା’ ମନ ଭାବନା ଜାଣିଲା ପରାକେ

ଚାହେଁ ଫେରି ଚଉପାଶ

ଦିବସ ରଜନୀ ଧରି ବିରହ ସହି କିଶୋରୀ

ଗୁନ୍ଥି ନବ ମାଳତୀର ମାଳା

ନୟନର ନୀରେ ଧୋଇ ସଜାଡ଼ି ରଖିଛି ଗୋ

ଆସିବେ କେବେ ସେ ଘନକଳା ?

ଲଳିତା ସଜନୀ କହେ ରାଈ ବିନୋଦିନୀ ଗୋ !

କାହ୍ନୁ ବୁଝେ ଅନ୍ତର ବେଦନା

ତାହାରି ଚରଣ ତଳେ କହ ମନ ବେଦନାରେ

ପୂରିବ ତୋ ମନର କାମା ।।

 

(୫୮)

 

ବିନୋଦିନୀ ରାଈ

ନ ଜାଣୁ କି ପୀରତିର ଆଖି ତାରା ନାହିଁ ।।୦।।

ଯାଉ ତ ଯମୁନା ଜଳେ ଘରୁ କେତେ ଛଳେ

ବାରି ଭରା କଳସୀ ତୁ ଢାଳୁ ଥରେ ଥରେ ଗୋ

ଭରିବାକୁ ଫେରୁ ପୁଣି ଯମୁନାର ତୀରେ

ଛାଇକି ଚମକୁ ଥାଉ ପାଶେ କେ ନ ଥାଇ ଗୋ

ସତ କହ ଆଖି ଆଉ ଥାଏ କାହିଁ ସହୀ ଗୋ ।।୧।।

କୁଞ୍ଜବନେ ଭେଟାଏ ସେ ଯେବେ ମନ ଚୋର

ସଖୀ, ସହଚରୀ ତୋର ହେବେ ସାତପର

ପୀରତି ବିଷମ ଅଠା, ଚାଖିଲେ ଥରେ ସେ ମିଠା

ପାଶୋରିବୁ ନିଶି ନିଦ ଜୀବନଟା ପାଇଁ ଗୋ

ପଥହରା ହେବୁ ଧନୀ ଆଖି ଥାଇଁ ଥାଇଁ ଗୋ ।।୨।।

ଚେତାରେ ଦେଖିବ ଆଖି ଘୁମର ସପନ

ଖରାରେ ଦିଶିବ ତାରା ରାତି ହେବ ଦିନ

ହୀମ ହେବ ଗିରିଷମ ଚଲା ପଥେ ଯିବୁ ଝାମ

ଶରତ ଚାନ୍ଦିନୀ ତାତି ସମାନ ଲାଗଇ ଗୋ

ବିଷ ନିଶା ପୀରତି ଗଞ୍ଜାଇ ଗୋ ।।୩।।

 

(୫୯)

 

ବନ୍ଧୁ, ଆଉ କି ଅଛି ସେ କିଶୋରୀ !

ଯମୁନା ପୁଲିନ (କୁଞ୍ଜ କାନନ) ନମ ଘନଶ୍ୟାମ

କାଳ ହେଲା କଳା ବାଁଶରୀ ।।୦।।

ଆସ ବନ୍ଧୁ ହେ, ଥରେ ଦେଖି ଯା

ଆସ ଶ୍ୟାମ ହେ, ଥରେ ଦେଖି ଯା-

(ସେଇ) ନବ ଶତ ଦଳ ନିନ୍ଦି ଆନନ

ଶିଶିର ସିକ୍ତ ଦେଖି ଯା-

(ସେଇ) ସଜ ଫୁଟା ମଲ୍ଲୀ ସୁବାସ ପାଖୁଡ଼ା

ପାଖୁଡ଼ା ଝାଉଁଳି ପଡ଼ିଛି ଦେଖି ଯା ।।୧।।

(ତୁମେ) ପ୍ରେମିକ ପରାଣ ପରା ନଟବର

ପ୍ରେମିକା ପ୍ରୀତିଟି ହୃଦୟର ହାର

ଆଜି କି ସେ ସବୁ ଭୁଲିଲ ବନ୍ଧୁ ?

ତୁମ ଲାଗି ଶ୍ୟାମ ଗଲା କୁଳମାନ

(ତେବେ) ନ ପାରିଲା ସହୀ ପାସୋରି ।।୨।।

 

(୬୦)

 

ବ୍ରଜ ଚନ୍ଦ୍ରମା, ଗୋଷ୍ଠେ ବିଜୟେ

ଯଶୋମତୀ ସାଜଇ ନଟବର ବେଶ

କନକ ନୂପୁର ପଦେ ଶୋହେ ।।୦।।

କୁସୁମ ଗୁଞ୍ଜିତ ମଞ୍ଜୁଳ ବଳୟେ

ମୋହନ କର ଯୁଗ ରଞ୍ଜେ

କଟି ତଟ ଶୋଭନ ସୁମନ ମେଖଳେ

ଚାରୁ ମୁକୁଟ ଶିରେ ଖଞ୍ଜେ

ଭାଲେ ଅଗରୁ ଚନ୍ଦନ କୁଙ୍କୁମ କରି ରଞ୍ଜନ

ଗଳେ ବନମାଳା ପହରାଏ ।।୧।।

କ୍ଷୀର ସର ଭୁଞ୍ଜାଇ ଶିରୀ ମୁଖ ଚୁମ୍ବଇ

ସଜାଡ଼ି ଦିଏ ସେ ବାସେ

ବେଗେ ବାହୁଡ଼ିବୁ ଧନ ଜୀବର ଜୀବନରେ

ସରାଗ ବଚନ ପୁଣି ଭାଷେ

ଯିବା ପଥକୁ ତା ଅନାଇଁ ପଲକ ନୟନେ ତା ନାହିଁ

ଦର ଦର ନୀର ଝରୁଥାଏ ।।୨।।

 

(୬୧)

 

ବ୍ରଜେ ଚଳ ବ୍ରଜଶିରୀ ଦିନ ଦୁଇ ଚାରି

ନ ମାନିଲେ ବ୍ରଜେ ମନ ଆସିବ ବାହାରି

ଚାଖିବାରେ ବ୍ରଜ ମଧୁ ଆସ ପଛେ ଫେରି ।।୦।।

କେହି ବାନ୍ଧିବେ ନାହିଁ

ଆସିବାକୁ ତୁମେ ଭାଳିଲେ କହ୍ନାଇଁ

ବାନ୍ଧିବେ ନାହିଁ

ଭୁଲି ନ ପାରିଲେ କୁବୁଜା ସୁନ୍ଦରୀ

ସଙ୍ଗେ ଘେନି ଚଳ ନହୁଅ ବାଇ ।।୧।।

ଦେଖି ଆସ ଥରେ କିଶୋରୀ ଯାଇ

କେ ବାନ୍ଧିବ ନାହିଁ

ଗୋପ ଗୋପୀ କେହି ସାଧିବେ ନାହିଁ

ଯମୁନା କୂଳରେ କଦମ୍ବ ଡାଳରେ

ବଜାଇ ଆସିବ ଥରେ ବାଁଶରୀ

ସେଇ ବିନୋଦିନୀ ବିରହିଣୀ ନାମେ ଥରେ ବାଁଶରୀ ।।୨।।

 

(୬୨)

 

ବନ୍ଧୁଆ ଲାଗି ମୁଁ ଶେଜ ବିଛାଇଲି

ଗୁନ୍ଥିଲି କୁସୁମ ମାଳା

ବିଡ଼ିଆ ସାଜିଲି ପ୍ରଦୀପ ତେଜିଲି

ନଇଲେ ଚିକ୍କଣ କଳା

(ସଖି) ଶ୍ୟାମଘନ ନଇଲେ ମୋର

ଚୋର କରି ମନ ସେ ମନଚୋର

ରସର ସାଗର ରସିକ ନାଗର

ନ ଘେନିଲେ ଏତେ ମନେ

ଶାଶୁ ନଣନ୍ଦରେ ବଞ୍ଚନା କରି ମୁଁ

ଅଇଲି ଗହନ ବନେ

ଦେ’ ଦେ’ ସଖି ଲିଭାଇ ଦେ ଗୋ

ରତନ ପ୍ରଦୀପ ଲିଭାଇ ଦେ’ଗୋ ?

ଚନ୍ଦନ କର୍ପୂର ସୁବାସ ପନିର

ଯମୁନାର ନୀରେ ଭସାଇ ଦେ’ ଗୋ ?

 

(୬୩)

 

ବନ୍ଧୁ ହେ !

ଯାହା ଇଚ୍ଛା ତାହା କର ।

ଦେଇ ଘେନିବାକୁ ଥରେ ଆଉ ମନ

ଆୟତ୍ତ ନାହିଁ ତ ମୋର ।।୦।।

କଳଙ୍କିନୀ ବୋଲି କହୁ ଏ ବରଜ

ନିଶି ଅଭିସାରେ ହେବି ନିତି ସଜ

କଥା ନ କହିଲେ ନାହିଁ ରହିଥିବି ଦୂରୁ ଚାହିଁ

ଦାସୀ ବୋଲି ମୋର ମନର ଗରବ

କର ପଛେ ସାତ ପର ।।୧।।

ତୁମରି ଅଙ୍ଗ ବରନ ସୁମରି

ନୀଳବାସେ ତନୁ ଥିବି ମୁଁ ଆବୋରି

ତୁମ ଚଲା ପଥେ ଧୂଳି ଅଙ୍ଗରେ ହେବି ମୁଁ ବୋଳି

ଲୋଡ଼ା ନାହିଁ ମୋର ହଳଦୀ କୁଙ୍କୁମ

ଲେପି ଦିଅ ତବ କର ।।୨।।

 

(୬୪)

 

ବନ୍ଧୁ, କି କରି ପାରିଲ ପାଶୋରି ?

ତବ ଲାଗି ପରା କଳଙ୍କ ପଶରା

ଧରିଛି ସେ କୁଳ ବିଶୋରି ।।୦।।

କଣ୍ଟ ଦେଇଛ ତ ଶଠ ନାଗର ଲମ୍ପଟ

ଜଗାଇ ରଜନୀ କଲ ଶେଷ l

କି ଅପରାଧିନୀ କହ ରସରଙ୍ଗିନୀ

କରିଛି ସତେ ସେ କେଉଁ ଦୋଷ ?

ଛି ଛି ବ୍ରଜସୁନ୍ଦର ରଚ ଏ କି ହୁନ୍ଦର

ମନ ଦେଇ ସରେ ସିନା ଗୋରୀ ।।୧।।

ନାରୀ ମାରି ଯେବେ ନେବ ଗଉରବ

କହ ତେବେ କହ ଘନଶ୍ୟାମ !

ହସି ହସି ମାଧବ ସଖୀ ନେବ ତା ଜୀବ

ଯମୁନାର ନୀରେ ଜପି ନାମ

ଲଳିତା ଭତାଇଁ ଶୁଣ କେ କହ୍ନାଇଁ !

ଫେରି ଦେଖ ଏ କି ସେ କିଶୋରୀ ।।୨।।

 

(୬୫)

 

ବନ୍ଧୁଆ କେ ସେ ଯମୁନାର ତୀରେ ।

ନବଘନ ସୁନ୍ଦର ମୁରଲୀ ମନୋହର

ରାଈ ରାଈ ଫୁକାରେ ।।୦।।

ଏ ତିନି ଭୁବନ ଭରି ନାହିଁ କି ସୁନ୍ଦରୀ

ମୁରଲୀ କାହିଁକି ଡାକେ ରାଧା

କହ ନାଗର ବର ! କେ ବାସେ ନାଗରୀର

ପ୍ରେମ ପାଶେ ଆଜି ଶ୍ୟାମ ବନ୍ଧା ।

କାହିଁ ସେ ଗୋପପୁର ମୋହନ ନଟବର

କାହିଁ ନବଚତୁରୀ ରାଈ

ଆକୁଳ ଅନ୍ତର ଅଥୟ ନିରନ୍ତର

ଥନ ଥନ ନୀର ଝରାଇ !

ଥନ ଥନ ନୀର ଝରାଇ !

ନାଗର ଗିରିଧର ଧନୀମନ ଧନଚୋର

ଶୟନେ ହେଳେ ନ ତେଜେ ସଙ୍ଗ,

ଅଧା ଅଧା ମୁଦା ଆଖି ସପନ ଛବିରେ ଲାଖି

ରଚଇ ପୀରତି ପରସଙ୍ଗେ

କଳଙ୍କ ବୋଲି ଯା ବୋଲୁ ତୁ ସଜନୀ

ସେତିକି ତ ତାର ଦାନ

ସହୀ କହେ ହସି ରାଈ-କଳାଶଶି

ତନୁ କାହିଁ ଆନ ଆନ ?

କବିଶଶି ନୟନେ ନ ହେରେ

 

(୬୭)

 

ବିଜେ ଗୋ ବରଜ ପଥେ କନ୍ଦକିଶୋର

ନବ ନଟବର ଚରଣେ ନୂପୁର

ରୁମୁଝୁମୁ ବାଜେ ମଞ୍ଜୁଳ ।।୦।।

ଦାମ ସୁଦାମ ସୁବଳ ମଧୁ ବଳରାମ ତୁଲେ

ମୋହନ ମୁରଲୀ ବଜାଏ

ଛନଛନ ଗୋପୀମନ ଶୁଣି ସେ ମୁରଲୀ ସ୍ୱନ

ଆକୁଳେ ପରାଣ ମଜାଏ ।

ନବ ଶିଖି ଚନ୍ଦ୍ରିକା ନଟ ପଟୁ ସୁନ୍ଦର

କଟି ତଟ ପୀତ ପଟ ରାଜେ

ଘନବନ ମାଳିକା ସୌରଭ ଗୌରବ

ନବଘନ ହିଆକର ସାଜେ

ସହି ବରଜ ରାଜ-

କୋଟି ମଦନ ପାଇବେ ଲାଜ ସେ ବରଜ ରାଜ

ନିରେଖି ନୟନେ ମୋହନ ସଜ

ସେ ବରଜ ରାଜ ।।

ଏ ତିନି ଭୂବନ ଭରି ସଜନୀରେ

ନାହିଁ ସମତୁଲ ତାର

 

(୬୭)

 

ବ୍ରଜପୁର ନାଗରୀ ଧନୀ ରସ ସାଗରୀ

କରେ ସେ ଯେ ଦିବା ଅଭିସାର

ଗଗନ ଗର ତପନ ଖର ଆତପ ଦହନ

ତପତ ଧରଣୀ ଅନିବାର ।।୦।।

ଗମଗମ ଝରେ ଝାଳ

ରଞ୍ଜି ଅଳକ ତଳ

କେ ଦେଲାରେ ଗଜ ମୋତି ଖଞ୍ଜି

କଞ୍ଜ ବଦନେ ଅବା

ବିନ୍ଦୁ ଶିଶିର ଶୋଭା

ସୁର-ପୁର ନାରୀ ଶିରୀ ଗଞ୍ଜି ।

ସେହି ଉପମା ତାହାର ।।୧।।

ପଦ୍ମିନୀ ସେ କିଶୋରୀ

ଦିବା ମିଳନ ସୁମରି

ଜୀବନରେ କରିଛି ତୁ ତୁଚ୍ଛ

ରସମୟୀ ରାଧିକା

କାହ୍ନୁ ପ୍ରେମ ସାଧିକା

ନ ବିଚାରି ଗୋରୀ ଆଗପଛ

କବିଶଶି ଜଣାଏ ଜୁହାର ।।୨।।

 

(୬୮)

 

ମୁକୁର ଆଣିବି ଶ୍ୟାମ ଦେଖିବ କି ମୁଖ

ମରିଯାଏ କିନା ବନ୍ଧୁ କେ ଦେଲା ଏ ଦୁଃଖ ।।୦।।

ଗଣ୍ଡରେ କେ ଲେଖିଦେଲା କଜ୍ଜ୍ୱଳର ଲେଖ

ଯଶୋଦା ତ ଚମକିବେ ଦେଖି ରୂପ ରେଖ ।।୧।।

ଯାଅ କୁଞ୍ଜ ତେଜ ବହନ ହେ ଶ୍ୟାମଘନ !

ନାହିଁ ନାହିଁ ଚାଟୁଗୀରେ ଆଉ ପ୍ରୟୋଜନ

ଭୁଲାଇ ସତୀରେ ଘରଛଡ଼ା କରି

କଲ ଯଶ ଅରଜନ

ଗୋପ ଯୁବରାଜ ତୁମ୍ଭେ କଳାକାହ୍ନୁ !

ସଖୀ କି ତୁମ୍ଭ ଭାଜନ ହେ

ରଖ ରଖ ଏ ବିନୟ ରଖ ।।୨।।

 

(୬୯)

 

ମୋହନ ମୁରଲୀ ବାଜିଲେ ତ ସଖୀ

ନିତି ଝୁରି ମରୁଥାଉ

ଆଖିର କଜ୍ଜଳ ଅଧା ଘେନା କରି

ଯମୁନା ପାଣିକି ଯାଉ ।

କର କଙ୍କଣ ଚରଣେ ମଣ୍ଡୁ

କିଙ୍କିଣୀ ଶିରେ ଖଞ୍ଜୁ ।

ବାଜୁ ବନ୍ଧୁ ତୁ ଚାପସରି କରୁ

ଅଳତା ଶ୍ରୀକରେ ରଞ୍ଜୁ ।

ରାଈ ଗୋ ଯାଏ ଚେତନା ହଜି ।

କୁଳଶୀଳ ମାନ ଦେଉ ବରଜୀ ।

ଧଇର୍ଯ୍ୟ ଗୁମାନ ପଡ଼ଇ ଭାଜି ଗୋ

ନିଶି ଦିନ ଘର ପର ନ ହେଜି ।

ପସରା ନ କରୁ ଶାଶୁ ନଣନ୍ଦର

ଗୁରୁ ଗଞ୍ଜଣା ଦାଉ ।

କହଲୋ କିଶୋରୀ ! ମୋହନ ପୀରତି

ଶିଖିଲୁ ତୁ ସତେ କାହୁଁ ?

ଗୋପପୁର ରଜା ଶୁଣିଲେ ଏ କଥା

ମହତ ଥିବ କି ଆଉ

ଯେ ଯେତେ କହିଲେ ଘରେ ନ ରହିତୁ

କୁଞ୍ଜରେ କି ସୁଖ ପାଉ ?

କହ ଚତୁରୀ ରାଈ

ମୁରଲୀ କି ତୋତେ କଲାଣି ବାଇ ?

ନିରତେ ନାଚେ କି କଳା କହ୍ନାଇ ।

କମଳ ନୟନୁ ଏକା ଶ୍ୟାମ ବିନେ

କାହିଁକି ନୀର ଝରାଉ !

 

(୭୦)

 

ମାନ ତେଜ ଧନୀ ସୁନା ବରନୀରେ

କାହ୍ନୁ କିଣାଜନ ତୋର ।

ଦିବା କି ବା ନିଶି ନାମ ଘୋଷି ଘୋଷି

ସେ ପରା ମୁରଲୀ-ଧର ।

ରାଈ ଗୋ ! ମାନ ବରଜ ଧନ

କୁଞ୍ଜ ଦୁଆରେ ମନ ମୋହନ

ସେ ବରଜ ଧନ

ଗୋକୁଳଚନ୍ଦ୍ର ଜୀବଜୀବନ

ତୁ ବରଜ ମାନ ।।

ଅନାଁ ଲୋ କିଶୋରୀ, ତୋ ବରନଝୁରି

ପୀତବାସ ତାର ଗୋରୀ

(ନୁହ) ଅଭିମାନୀରେ ମୋର ।।୧।।

ଚଲା ପଥେ ତୋର ଚରଣ ଛାପର

ଧୂଳି ଅଙ୍ଗେ ବୋଳି ହୋଇ

ବରଜ ବଜାରେ, ବୋଲାଉଛି ସିନା

ବରଜ ଧୂଳିଆ ସେହି ।

ଛି ଛି ରାଇକିଶୋରୀ

ପର ନ କର ତୁ ମୁରଲୀଧାରୀ

ପୀରତି ଝୁରି

ଶିରିହରା ଦେଖ ବରଜଶିରୀ

କବିଶଶୀ ପଦେ ଜଣାଏଁ ତୋର-

ଦୋଷ ନ ଧର

ଅନୁଗତ ଜନେ ରୋଷ ନ କର ।।୨।।

 

(୭୧)

 

ମାନେ ମନ ବଳାନାରେ ଧନ, ମାନ ଆନ

ମାନେ ଆନ ଆନ ସିନା ମନ, ଜୀବ ଧନ ।।୦।।

ଦୋହଲି ମଲ୍ଲୀ କଳି ମଳୟ ସମୀରେ

ଗୁରୁମାନେ ଦୂରେ ଯେବେ ଘୁଞ୍ଚେ

ଚହଲି ମତ୍ତ ଅଳି ଥରେ ଥରେ ଅପସରି

ସାର ସରାଗ ନ ସଞ୍ଚେ

ବାରେ ବାରେ ହାରି ହାରି ରହେ ସେ ତ ମନମାରି

ଝୁରି ମରେ ଗୋରୀ ଅକାରଣ

କାଳ ହେଲା ସଜନୀ ! ଗୁମାନ ।।୧।।

ଢାଳି ମନ ତା’ମନ ଚୋରିକର ନାଗରୀ !

ମାନ ତେଜି ତୁ ମନଘେନ

ବାସ ପରଶି ଅରବିନ୍ଦ ମଳୟାନୀଳ

ପରଶ ଲବେ ତା ପରମାଣ

ହେଜି ମନେ ଏ ମାନ ପରିହର ଅଭିମାନ

ପ୍ରୀତି ପଥ ପଥର ସମାନ

ସାନ କୁହାମାନ ମାନ, ମାନ ।।୨।।

 

(୭୨)

 

ମୋହନ, ତନୁ ମନ ମାନ ମୋର ଘେନ

ମାନ ମିନତି ମୋର ନଟବର ନାଗର !

ନିରବଧି ତୁମେ ମୋ ଧିଆନ

ଶୟନେ ସପନେ ନିତି ନାଚ ଅଗତିର ଗତି

ସୁନ୍ଦର ଛବି ଅଭିରାମ

ଜଗତ ନାଥ ହରି ଜଗନ୍ନାଥ ତୁମେ

ନବୀନ ନିରଦ ଘନଶ୍ୟାମ ।।୧।।

ନୀଳ ଯମୁନା ତଟ ନୀପ ତରୁ ନିକଟ

ମୁରଲୀଧର ରସସିନ୍ଧୁ ।

ତ୍ରିଭଙ୍ଗ ବଙ୍କିମ ଭଙ୍ଗି ମନୋରମ

ଗୋପପୁର ନନ୍ଦନଇନ୍ଦୁ

କବିଶଶି ବନ୍ଦନ ବ୍ରଜରାଜ ନନ୍ଦନ

ଶରଣ ଦିଅ ହେ ଦୀନବନ୍ଧୁ ।

ଆଶିଷେ ତବ ହରି ଏ ତିନି ଭୁବନ ଭରି

ଜନ ମନ ଅବିରତ ନନ୍ଦୁ ।

 

(୭୩)

 

ମନ ମୋହନ ମମ ଚିର ସାଥୀ-ସାଥୀ ଗୋ ।

ଚଉକତି ମାଧବ ଦରଶନେ ନାଚେ

ଗୁଞ୍ଜେ ମୋହନ ବେଣୁ ଗୀତି ।।୦।।

ଯା’ର ବନ୍ଦନ ଗୋ ଦୂରେ ପରବାସୀ

ଆଶା ପଥେ ଆଖି ତା’ର ଚାହେଁ

ମୋର ଚନ୍ଦନ ତ ହୃଦୟେ ବିହରେ

ପ୍ରେମ ମିଳନ ଦିନରାତି ।।୧।।

ଯା ନୟନେ ନାହିଁ ପ୍ରେମର ପରଶ

ଅଞ୍ଜନ ରଞ୍ଜେ ସିନା ସେ

କଜ୍ଜଳ ବିନା ମୋର ନୟନେ କଳା ଗୋ

ନାଶେ ବିରହ ଘନରାତି ।।୨।।

କୋଟି ଶଶି ନିନ୍ଦଇ ଶ୍ୟାମ ତନୁ

ଦେହେ ମୋର ଖେଳେ ସେ ଛାୟା

ନଟବର ନାଗର ଆଲୋକର ଦୀପ୍ତି

ମୁଁ ଗୋ ହୋମର ଆହୂତି ।।୩।।

 

(୭୪)

 

ମୁରଲୀ, କାହୁଁ ତୁ ଶିଖିଲୁ ଡାକି ରାଈ ?

ରହି ମୋହନ ଅଧରେ

ନିତି ରଜନୀ ଅଧରେ

କୁଳ କାମିନୀରେ କରୁ ବାଇ ।।୦।।

ବିଷ ବସନ ଭୂଷଣ

ଛାର କୁଳର ଦୁଷଣ

ବାରଣ ନମାନେ ପୋଡ଼ା ମନା ।

ଆଖିର କଜ୍ଜଳ ଘେନା

ଅଧା ରହିଛି ତ ଅନା

ପାଦେ ଘନେ କରର କଙ୍କଣ

ଘର ବରଜିତ ଧନୀ

ଅନ୍ଧାରେ ଚଳେ ଏକାକିନୀ

କି ଅମଳ ଦେଇଛୁ ଚଖାଇ

ଗରଜୁଛି ନିଶା ସାଇଁ ସାଇଁ ।।୧।।

ଅଯତନ ନୀଳ ଶାଢ଼ୀ କାନି

ଅଶକତେ ଲୁଟଇ ଅବନୀ

ମୁକୁଳା ଚାମରୀ କେଶ

ଭୁବନ ମୋହିନୀ ବେଶ

ସେ ଯେ ଶ୍ୟାମ ପ୍ରେମ ପାଗଳିନୀ

ଗହଳ ତମାଳ ଛାଇ

ଶ୍ୟାମଘନ ମଣେ ଚାହିଁ

ଜୀବନ ମୁରୁଛି ଭାଗମୟୀ

କବିଶଶୀ ପାଦେ ଜୁହାରଇ ।।୨।।

 

(୭୫)

 

ଯାଗର ଯାମିନୀ ପାହେ କାହିଁ ଶ୍ୟାମରାଏ ।।୦।।

ନବଘନେ ଚନ୍ଦ୍ରମା ଚୁମ୍ବିଲା ନଭସୀମା

ଡାକଦେଲା କୋଇଲୀ ଡାକୁଆ

ନ ଫେରିଲେ କୁଞ୍ଜ ବିନୋଦିଆ

(ଧୀଟ ପୀତପଟିଆ)

ପାଶୋରିଲେ ମୋତେ ନଟକୁଟିଆ

କାହା ତୁଲେ ରସି ପୁହାଇଲେ ନିଶି

ଅବଳା ପରାଣ କେତେ ବା ସହେ ।।୧।।

ବାରଣ କର ସଖୀ, କୁଞ୍ଜ ଦୁଆର ମୋର

ଲୋଡ଼ା ନାହିଁ କଳାର ପୀରତି

ବାରବାର ସହି ମରମେ ହେଲିଣି ଦହି

ଏଥର ପଥର କଲି ଛାତି

ଯାଅ ସଜନୀ ମୋର

ଆସିବେଟି ଅବା ବରଜ ଚୋର

କହିବ, ରାଧିକା, ଜୀବନରେ ନାହିଁ

ସହି ନ ପାରିଲା ବିରହ ଭାର

ମିଛେ ସିନା ତା’ ମୋହନ ମୁରଲୀ

ନିଶିଦିନ ରାଧା ନାମକୁ ଗାଏ ।।୨।।

 

(୭୬)

 

(ଯେବେ) ବାର ମଧୁପିଆ କାଳିଆ ଭଅଁର

ଫୁଲେ ଫୁଲେ ବୁଲେ ଫେରି

(କାହିଁ) କମଳିନୀ ଧନୀ ଋଷି କି ବସଇ

ବିଚାର କର ତ ଗୋରୀ

ଧନୀ ବରଜ ମାନ

ବରଜ ଧନ ତା ଜୀବଜୀବନ ଗୋ ।।୦।।

ସପତଣୀ ବୋଲି ବୋଲୁ ଯାହାରେ ତୁ

ସେ ତ ସାତ-ପର ଜନ

ଗୁମାନ ତେଜ ତୁ କିଶୋରୀ ରତନ

ମନ ଦେଇ ମନ ଘେନ

ଦିଗ ମହକାଇ ବଉଳ ଫୁଟାଇ

ବାସେ ଗଲେ ବନ ଭରି

କଳା କୋଇଲି କି, ପର ବିଚାରି କି

ମଳୟ ଦେବ ପାଶୋରି

ଯେ ଯା’ର ସେ ତା’ର ଧନ, ତୁ ବିଚାର

ମନ କରନାରେ ଭାରି

 

ନବୀନାରେ ମାନ, ହାରି ସନମାନ

ପଛେ ହେବୁ ସିନା ଝୁରି ।।୧।।

 

(୭୭)

 

ଯମୁନା, ଯମୁନା, ଯମୁନା ।।୦ ।।

ଅଙ୍କେ ତୋ ଉଭା କହ କେ ସେ

ନବଘନମିଳନ, ବରତନୁ ଶୋଭନ, ବଙ୍କିମ ନଟବର ବେଶେ ।।

ନିଖିଳ ଭୂବନ ମୋହନ-ମୋହନ ଅଧରେ ମୁରଲୀ କହେ ରାଧା

ପାଟକ କୁଳେ ନିତି ହାଟ ବସେ ସତ ମାନିନୀ ମାନେ କି ହା ବାଧା

ମଞ୍ଜୁ ମଞ୍ଜୁ ତଳେ କୁହୁକୁ ପିକ ବୋଲେ

କାନ୍ତ ସମୀର ବହି ଆସେ ।

ରାଈ ଗଣ୍ଡେ ଭରି ଉଜ୍ଜଳ କଜ୍ଜଳ

ଗାର ଧାର ଉଦଭାସେ ।

ଉଜାଣି ଯମୁନା ସତେ କି ସେ ?

 

(୭୮)

 

ଯମୁନାର ତଟ ପରେ ମରେଁ ମରେଁ ଶୋଭାରେ

ରାଇଶ୍ୟାମ ମଧୁର ମିଳନ

ମୁଖେ ନାହିଁ ଅ।ସେ ଭାଷା ସଜଳ ନୟନେ ଆଶା

ଝଲକଇ ଦାମିନୀ କିରଣ ।

ବସନ୍ତ ଚୋର ପୁଣି ସୁଧା ସିଞ୍ଚିଲାଣି

କୁହ କୁହୁ ଡାକେ ପୀକ ଡାଳେ

ହସି ନାଚି ରଚେ କେଳି ଯମୁନା ଜଳ ଭଉଁରୀ

ଦୋହଲି ପବନ ତାଳେ ତାଳେ ।।

ଏକାଳେ ତମାଳ କୁଞ୍ଜେ ମେଘ ଦରଶନ

କଳାଘନ ଦେଖି ରାଈ ମନ ଛନ ଛନ ।

ଏକେ ତ ବରଜେ ବାଜେ କଳଙ୍କ ବାଜଣା

ପରେ କି କହିବ ଘରେ ବଇରୀ ଗଞ୍ଜଣା ।।

ବନପଥ ଅନୁସରି ରାଈ ଚଳେ ଘରେ

ଘନଶ୍ୟାମ ହିଆବର ଦୂରୁ ଦୂରୁ ଥରେ ।

ସେ ଶୋଭା ସୁମରି କବିଚନ୍ଦ୍ର ସଦାନନ୍ଦ

ଚକୋରୀ କି ହରାଇଲା ପୂର୍ଣ୍ଣିମାର ଚାନ୍ଦ ।।

 

(୭୯)

 

ରାଈ ! ଧୈର୍ଯ୍ୟ ଧର, ଧୈର୍ଯ୍ୟ ଧର, ଧୈର୍ଯ୍ୟ ଧର

ଧିରା ! ନ ହୁଅ ମନେ କାତର ।

ମୁଁ ଖୋଜି ମଧୁପୁର ବୁଲି ଘର ଘର

ଆଣିବି ତୋ ମନ ଚୋର ।।୦।।

କଳା ଯହିଁ ଥିବ ଗୋ ରାଈ ! କଳା ଯହିଁ ଥିବ

ଏ ତିନି ଭୁବନେ, ଏ ତିନି ଭୁବନେ

ତିନି ଭୁବନେ ସେ ଯହିଁଥିବ

ତୋ କଳାଚାନ୍ଦ ଯହିଁଥିବ

ମନେଥିବ ସଖି, ପ୍ରୀତି ତମସୁକ

ଲେଖି କାଟିଛି ସନ୍ତକ ଗାର

ଦେଖିବି କହ୍ନାଇଁ କେଡ଼େ ଚୋର

ଦେଖିଲେ କହିବି ଗୋପାଳ କହ୍ନାଇଁ

ଲଗାଇଲା କିଏ ପ୍ରୀତି ଡୋର ?

ନିପଟ କପଟ ତୁହି ରେ ଲମ୍ପଟ

ବରଜି ଆସିଲୁ ଗୋପପୁର

ନିଲଜ ପଣରେ ନାହିଁ କେତେ ସରି

ଧିଟ ଶଠ ତୁହି ନଟବର

ଝୁରି ମରେ ରାଈ

କବିଶଶି ପଥ ତୋର ଚାହିଁ

ମଧୁପୁର ତେଜି ଚଳ ଗୋପପୁର

ମହତ କୁ ଯେବେ ଅଛି ଡର ।

 

(୮୦)

 

ରାଈ ଗୋ ! ବିରଷ ନକର ଧନମନ

ଚଳ ତୁ ଯମୁନା ତଟେ

କୁଞ୍ଜ ଭବନ ପଟେ

ବିଚାରିବା କି ତାର ବିଧାନ ।।୦।।

ଏଇ ତା’ର ଶିଖିଚୂଡ଼ା

ଏ ମୋହନ ପୀତଧଡ଼ା

ଏଇ ତା’ର ମୁରଲୀ ମୋହନ

ଏଇ ଚାରୁ ପୀତବାସ

ମଧୁହାସ ଚାଟୁଭାଷ

ଦଣ୍ଡକରେ ହେବଟି ମିଳନ

ରାଈ ଧଇର୍ଯ୍ୟ ଧର

କଥା ମାନି ଧନୀ ମାଧବୀ କୁଞ୍ଜେ

ଚଳ ଚଞ୍ଚଳ ମଠ ନକର ।

 

(୮୧)

 

ରାସେ ବନ୍ଧୁ ପାଶେ ଥିଲେ ଗୋପୀଗଣ ଘେରି

ରହିଲି ଘଡ଼ିଏ ମୋତେ ନ ଚାହିଁଲେ ଫେରି

କଣ୍ଟ ଦେଇ ପାଶୋରି

କେଡ଼େ ଶଠ ସତେ ବରଜ ଶିରୀ ଗୋ

ଦେଲେ ପାଶୋରି

କେତକୀ ଦଳର ଲେଖା ଫିଙ୍ଗି ଦେଇ

ବାହୁଡ଼ିଲି ତୋର ପାଶେ କିଶୋରୀ ।।୧।।

ଚମକି ପଡ଼ିଲେ ଶ୍ୟାମ ଆଶେ ପାଶେ ଚାହିଁ

ଲୁଚ଼ିଲି ମାଧବୀ ତଳେ କେହି ଦେଖି ନାହିଁ l

ସତେ ଚେତନା ପାଇ

ରାସ ତେଜି ତରତର କହ୍ନାଇ ଗୋ

ଚେତନା ପାଇ

ଆସୁଥିବେ ପରା ପଛେ ପଛେ ମୋର

ଆଗେ ଆଗେ ମୁଁ ଆସିଛି ପଳାଇ

ବରଜ ମନରୁ ଖେଦ କିଶୋରୀଲୋ

ଆଣିବି କାହ୍ନୁରେ ପଥରୁ ଧରି

ଭେଟାଇବି ତୋତେ ନ ଭାଳ ଗୋରୀ !

 

(୮୨)

 

ରାଈ! ତୁହି ସିନା କାହ୍ନୁ ଗତି

ତୋହରି କାରଣେ ରସ ତତ୍ତ୍ୱ ଘେନି

ବ୍ରଜ ପୁରେ ମୋର ସ୍ଥିତି

ଦିବା ନିଶି ବସି ରାଧାନାମ ସାଧେ

ମୁରଲୀ ଘେନି ମୁଁ କରେ

ତୋହରି ଆଶାରେ ସ୍ନାହାନ ଘାଟରେ

ଥାଏଁ ଯମୁନାର ତୀରେ

ଶୁଣ ଲୋ କିଶୋରୀ, ତୋତେ ଅନୁସରି

କଦମ୍ବ ତଳେ ମୋ ବାସ

ତୋ ତନୁ ବରନ ସାଥି ହେବାକୁ ମୁଁ

ପିନ୍ଧେ ସଦା ପୀତବାସ

ଶୟନେ, ସପନେ, ଘୁମେ, ଜାଗରଣେ

ତୋ ବିନୁ ନ ଜାଣେ ଆନ

ଅଭିମାନିନୀ ଗୋ, ଆଡ଼େ ନ ଚାହିଁଲୁ

ଏଇ ହେଲା ପରିଣାମ l

ନ ସହେ ଗୋ ଆଉଛାତି ।

 

(୮୩)

 

ରସର ସାଗର ରସିକ ନାଗର

ମୁରଲୀ ବଜାଏ ସହି

ବରଜ ନଗରେ କେ ଅଛି ନାଗରୀ

ରହିବ ଧଇର୍ଯ୍ୟ ଧରି

(ଆଖର) ରାଈ ରାଈ ବୋଲି ଡାକେ ବାଁଶରୀ ।।

ବରଜ ନଗରେ ହସେ ଭଗାରୀ ରାଈ ରାଈ ବୋଲି ଡାକେ ବାଁଶରୀ ।।୦॥

ବାରଣ କର ଗୋ ଶ୍ୟାମରେ ସଜନୀ

ନ ଧରିବ କରେ ବଂଶୀ

ତା’ ଲାଗି ହେଲିଣି କୁଳ କଳଙ୍କିନୀ

ଗୁରୁ ଗଉରବ ଧ୍ୱଂସି

(ଆଖର) ମୁଁ ସଁପିତ ସାରିଛି

ଏ ମୋ ଜୀବନ ଯୌବନ ସବୁ

ମୁଁ ସଁପିତ ସାରିଛି

ଯେବେ ନୀପ ମୂଳେ ଯମୁନାର କୂଳେ

ଅତରକେ ଦେଲି ଚାହିଁ

(ତାର) ମୋହନ ମାଧୁରୀ କାମହରା ଶିରୀ

ଜୀବ ଏ ଜୀବନେ ନାହିଁ ।

ନବ ନୀଳଘନ ନିଭ ଅପଘନ

ବନମାଳ ଝୁଲୁଥାଇ

କବିଚନ୍ଦ୍ର କହେ ଭୁବନ ଝୁରେ ଗୋ

ତାହାରି ଚରଣ ଧ୍ୟାୟୀ ।।

 

(୮୪)

 

ରାଈ ! ତୁହି ସିନା କାହ୍ନୁ ଗତି

ତୋହ ନାମ ଗାଇ ମୁରଲୀ ବଜାଇ

ବ୍ରଜପୁରେ ତାର ସ୍ଥିତି ।।୦।।

ମାନ ବରଜ ଧନ!

ମନ ମୋହନେ ମାନ ବରଜଧନ

ତୋ ବିନେ ନସରେ ଦିନ

ମନ ମୋହନେ, ମାନ ବରଜ ଧନ

ମୋର ଆନ ମାନ ରସବତୀ ।।୧॥

ତୋତେ ଆଶ କରି ଚତୁରୀ କିଶୋରୀ

କଦମ୍ବ ମୂଳେ ତା’ ବାସ ।

ବରନ ସୁମରି ତୋର ହେମଗୋରୀ

ପିନ୍ଧେ ସେ ଯେ ପୀତବାସ

ସରେ ନବ କିଶୋର

ତୋରେ ଝୁରି ସରେ ନବ କିଶୋର

ନିତି ଶୟନେ ସପନେ କିବା ଜାଗରଣେ

ତୋରେ ଝୁରି ସରେ ନବ କିଶୋର

ପୁରାଅ ଧନି ! ତା’ ଆଶ

ପଥ ଅନୁସରି ଘର ପରିହରି

ଯାଏ ଯମୁନାର ତୀରେ

ତୋ ଚଲା ପଥର ଧୂଳି କଣା ତାର

ଗୋ ରଚନା ପରା ଶିରେ

ନୟନେ ଯମୁନା ଧାର ଗୋ

ଶ୍ୟାମ ନୟନେ ଯମୁନା ଧାର ଗୋ

ସତେ କେ ଦେଖି ସହିବ ସହୀ

ତାର ନୟନେ ଯମୁନା ଧାର ଗୋ

ରଜନୀ ଦିବସ ଝରେ ।

କହେ କବିଶଶି ଗୁରୁମାନେ ବସି

ପାଇଲା ଧନ ନ ହଜା

ଦୟାବତୀ ତୁ ଯେ ବରଜ ବଜାରେ

ତୋ ! ନାମେ ବାଜୁଛି ବଜା

କୁଞ୍ଜେ ଚଳ ତୁ ରାଧିକେ

ଶ୍ୟାମ, କୁଞ୍ଜେ ଚଳ ତୁ ରାଧିକେ

ମାନ ବରଜି ବିଧୂମୁଖୀ

ଏବେ କୁଞ୍ଜେ ଚଳ ତୁ ରାଧିକେ

ଉଡ଼ାଅ ପୀରତି ଧ୍ୱଜା ।।

 

(୮୫)

 

ଶଠ ନାଗର, ଶ୍ୟାମ ନଟବର

କପଟ ବୋଲି ଯା ଖ୍ୟାତି

କଣ୍ଟ ଦେଇ ତ କୁଞ୍ଜେ ନଇଲେ

ସେ ଯେ ଚନ୍ଦ୍ରାବଳୀର ସାଥୀ ।।୦।।

ସହୀ ଗୋ !

ଦେଖିଛ ଲଳିତା କୁଞ୍ଜ ଭବନେ-

ନାଚେ ସଖୀଗଣ ସଙ୍ଗେ ।

ମନେ କି ପଡ଼େ ଲୋ ଅଭାଗିନୀ ରାଧା

ସହେ କି ଦହନ ଅଙ୍ଗେ ?

ତା’ର ମନଟି ବଙ୍କା

ବାଙ୍କ ଚୂଳ ତା’ର ନୟନ ବଙ୍କା ଲୋ

ଚାଲି ତା’ ବଙ୍କା

ତେଜ କୁଞ୍ଜ, ଆସେ ପାହି ରାତି ।।୧।।

ଆସିଲେ ଏଥର ସେ ମୁରଲୀଧର

ଦୁଆରୁ ବାରଣ କର ଗୋ

କୁଞ୍ଜ ଆଗୁଳି, ରହ ସଖୀ ମିଳି

ଏଇ ଅନୁନୟ ମୋର ଗୋ

ମୁଖ ଚାହିଁ ବି ନାହିଁ

ଗଲେ ଏ ଜୀବନ ଯାଉ ଲୋ ସହୀ-

ମୁଖ ଚାହିଁବି ନାହିଁ

ଶୁଣିଲା ଲଳିତା କାନପାତି ।।୨।।

 

(୮୬)

 

ଘେନ ବ୍ରଜରାଜ ଏତିକି ଅଜ

ନ ଯିବ ଯମୁନା ତୀରେ

ଘେନିଲେ ମୁରଲୀ ପୁଙ୍କାରିବ ନାହିଁ

ରାଈରେ ମୋହନ ସୁରେ ।।୧॥

ଉଭା ହେଲେ ହୁଅ କଦମ୍ବ ମୂଳରେ

ତହିଁ କି ବାରଣ ନାହିଁ

ପାସୋରି ଦେବ ସେ ତିନି ଭଙ୍ଗି ଠାଣି

ବାମକୁ ନଦେବ ଚାହିଁ ।।୨॥

ଗୋରୋଚନା ବିନ୍ଦୁ ଘେନିବ ପଛକେ

ନଥିବ ମକରୀ ଲେଖା

ଦୂରୁ ନିରେଖିଲେ ଗୋପଗୁଆଳି ସେ

ଆଖିରେ ଆଖି ନ ଲଖା ॥୩॥

ଲଳିତା କହଇ ବାରଣ ଶ୍ୟାମ ହେ

ନ ଘେନିବ ଯେବେ ମନେ

ଶିଖଣ୍ଡ ମୁକୁଟ ଲୋଟାଇବ ଦିନେ

ରାଈ ପଦେ ଦାସ ପଣେ ।।୪।।

କଣ୍ଟ ଦେଇ କାହ୍ନୁ ଖଣ୍ଟ ପଣେ ଆଉ

ହେବ ନାହିଁ ଦଗାଦିଆ

ଉଜାଡ଼ି ମହତ ରାଜନନ୍ଦିନୀର

ଚିରାଇବ ନାହିଁ ହିଆ ।।୫।।

 

(୮୭)

 

ଶରଦ ଗଗନେ ସଖୀ ଶଶି ରସି ହସେ ଗୋ

କୁଞ୍ଜ ଭରିଲା ଫୁଲ ବାସେ

ଏ ମଧୁ ଯାମିନୀ ସତେ କି କରି ବିତାଇବି

କଳାଚାନ୍ଦ ଯଦି ନାହିଁ ଆସେ ।।୦।।

କେତକୀ ଦଳେ ଲେଖି ଅଞ୍ଜନେ ଲେଖ ଗୋ

ପେଶିଲି ବନ୍ଧୁଆ ସମୀପେ

ମାଜିଲି ତନୁ ମୋର, ସାଜିଲି ବିଡ଼ିଆ

ତେଜିଲି ରତନ ପ୍ରଦୀପେ

ଖଣ୍ଟ ସେ ନାଗର କଣ୍ଟ ଦେଇ ସଖୀ

ରହିଲେ ସେ କେ ରମଣୀ ପାଶେ

କି ହେବ ଏ ଭୂଷଣ ସୁବେଶ ଆଭରଣ

ଚାଲ ସଖୀ ଫେର ଗୋ ଆବାସେ ।।୧॥

ସେ ତ ଆସିଲେ ନାହିଁ।

ଦଗାଦାର କାହୁଁ ଆସିଲେ ନାହିଁ ।

ଜାଗିନିଶି ପଥ ରହିଲି ଚାହିଁ

ସେ ଆସିଲେ ନାହିଁ

ମରେଁ ସଖୀ ମରେଁ ଶଠ ଆଶେ ॥୨।।

ଫୁଲ ଶେଜ ଚନ୍ଦନ ପନିର ଗନ୍ଧ ଦୀପ

ଯମୁନାରେ ଦେ’ତୁ ଭସାଇ ।

ସଖୀରେ, ଯମୁନାରେ ଦେ'ତୁ ଭସାଇ

ନିଶି ସରି ସରି ସତେ ଆସେ ତ ସଜନୀ

ଶାରୀ ଶୁକ ବନେ ଉଠେ ଗାଇ

ନଳୀନ ମଳିନ ଅନାଁ ଝୁରିଲାଣି ବନ୍ଧୁ ବିନା

କାହ୍ନୁ ବିନେ ମରେଁ ମୁଁ ନିରାଶେ ।।୩।।

 

(୮୮)

 

ଶ୍ୟାମ ସୁଖ ଇନ୍ଦୁ ଝାଉଁଳିଛି ଦେଖରେ ନିରେଖି

(ତାର) ନିରଜ ନୟନୁ ନୀର ବହେ ଧାର ଧାର ।।୦।।

(ବନ୍ଧୁ) କୁଙ୍କୁମ କସ୍ତୁରୀ ମଣେ ବିଷ ପରକାର

ରାଧା ନାମ କରିଅଛି ଗଳା ଜପା ମାଳ

କାହିଁରେ ମୋହନ ବଂଶୀ ବନଫୁଲ ହାର

ସହେ ହିଆ ଏହା ଦେଖିନି କି (ସଖୀରେ) ।।୧।।

କି କରିରେ, ରାଈ କି କରିରେ

ପାସୋରିଲୁ ଶ୍ୟାମ ମୁଖ ଇନ୍ଦୁ

ସେ ମୁଖ ବିଷାଦ ଦେଖି ଧୈର୍ଯ୍ୟ ଧରି ରହିବୁ କି ।।୨।।

 

(୮୯)

 

ସଜନୀ, ସେ ଯେ ମୋର ପରାଣ ନାଗର

(ରସ ନାଗର)

ନଟବର ସୁନ୍ଦର, ଜାଣେ ନବ ହୁନ୍ଦର

ତ୍ରିଭଙ୍ଗ ଭଙ୍ଗିଆ ବେଣୁଧର ।।

ସେ ଯେ ନିତି ନିତି ନୂଆ ନୂଆ, ବଡ଼ ଦଗାଦିଆ

ନାରୀ ମତି ଗତି ପ୍ରୀତିଚୋର

ଧରା ସେ ନ ଦିଏ ସଖି, ଧରା ଦେଲେ ଥାଏ ଲାଖି

ଆଖି ଆଖି ଆଶ ସିନା ମୋର

କାହିଁ ନବୀନ ଘନ ସେ ନିନ୍ଦି ଅପଘନ

ବନ୍ଦନ ସେ ଚିତ୍ତଚୋର

ଚାରୁ କୁଞ୍ଜତଳେ, ମଞ୍ଜୁ ସଞ୍ଜବେଳେ

ପବନ ପରଶ ବାରେଁ ତା’ର ।

 

(୯୦)

 

ସଜନୀ, ନ କହିବୁ ଏ କଥା କାହାରେ

ସରିବ ମହତ ମାନ, ଜୀବନ ଯିବାର ଘେନ

ଆନ ଦେଲି ତୋରେ ବାରେ ବାରେ ।।୦।।

ଯେ ଅନଳ ଜାଳି ଜଳାଏ ସେ ହିଆ

ସେ ଅନଳ ଜାଳି ଜଳୁ ଏ ଦୁନିଆଁ

ଅନଳର ଶିଖା ଦେଲାଣି ତ ଦେଖା

ଦୂର ଯବନିକା ପାରେ ।।୧।।

ଫାଟି ଗଲେ ପଛେ ଯିବ ଛାତି ସିନା

ଫିଟାଇବୁ ନାହିଁ ମୁଖ ଘେନ ମନା

ଜାଣିଲେ କେ ହେଲ ବରଜ ବଜାରେ

କଳଙ୍କ ହେବ ମୋ ନାଁ ରେ ।।୨।।

ଯେ ବିଷ ଆଜି ଏ ମଥା ଦିଏ ଘାରି

ସେ ବିଷ ହର ଗୋ ପରାଣୁ ତାହାରି

ଗଢ଼ିଛି ସେ ଯାହା, ପୂଜୁଛି ମୁଁ ତାହା

ବିଷ ମଖା ଫୁଲ ହାରେ ।।୩।।

 

(୯୧)

 

ସହୀ ଗୋ, ମରୁ ମରୁ ଫୁଲ ଶର

ନିରେଖି ଧନୀର ରୀତି ନୀର ଧାର

ମନା ନ ମାନିଲା ମୋର ।।

ଉପରେ ସୁରୁଜ ତାତି-ତଳେ ତାତି ବାଲି

ଛଳେ ଜଳ କୁମ୍ଭ ଘେନି ପଥ ଚାଲେ ଗୋରୀ

ଘନ କଳା ଘନ ଭେଦି-ସମୁଦିତ ଚନ୍ଦ୍ରମା

ତହିଁ ପରେ ମୁକୁତାର ବିନ୍ଦୁ

ଝରି ଝାଳ କପୋଳରୁ, ଟୋପି ଟୋପି ସାଜଇ

ଅଶନ ବସନ ବିଷ ତା’ର

ତନୁ ସାଜି ଗୋ, ଅଯତନ ଆଜ ତ-

ଫୁଲ ଶର ଏ ଦଶା ଦେଲାଣି

ଝାଞ୍ଜି ପବନ କୋପ, ଚନ୍ଦନ ଲେପ କି

କୁଳମାନ ସବୁ ତ ଗଲାଣି ।।୧।।

 

 

(୯୨)

 

ସହୀ ଗୋ, ନ ଜାଣି ପୀରତି କଲି

ନୟନ ବଙ୍କା ତା' ବାଙ୍କ ଶିଖୀ ଚୂଳ

ବାଙ୍କ ଭୂରୁ ବାଙ୍କ ଚାଲି ।।୦।।

ଭରା ଯଉବନ ଛାର କଥା ସଖୀ

ମନ ତ ସଁପିଛି ତାରେ

ଲେଉଟାଇ ଆଉ ଆଣିବି କେସନ

ବହିଗଲା ଜଳ ଧାରେ

ନ ବୁଝିଲା ସେ ଯଦି (ସଖୀରେ)

ଜୀବନେ ସାଧି ସାଧି

ବିଧି ମୋର ବାମ ମୁଁ ବାରିଲି

ନ ବିଚାରି ତୋରେ ମୁଁ ହୁଡ଼ିଲି ।।୧।।

ଶୁଣ ସଙ୍ଗିନୀ ହେବିରେ ମୁଁ ଯୋଗିନୀ

ନୀଳ ଶାଢ଼ୀ ନ ଘେନିବି ଆଉ l

ନୀଳ କେଶ ମୋର କେହି ବାନ୍ଧିବ ନାହିଁ ଗୋ

କୁଞ୍ଜ ଭବନ ଜଳିଯାଉ

ରତନ ଭୂଷଣ ଗଣ ପହରଣ କି କାରଣ

ନିଅ ଯମୁନାରେ ଦିଅ ମେଲି

ଶ୍ୟାମ ନାମେ ସବୁ ଅରପିଲି ।।୨।।

କିଶୋରୀ ନୟନ ବାରୀ ଚତୁରୀ ଲଳିତା ହେରି

କହେ ବିରହ ଦହନ ଧନୀ ମିଳନର ସିନା ଆଗମନୀ

ଶୁଣ କେ ସେ ବଜାଏ ବାଁଶରୀ

ତ୍ରିଭୁବନ ବନ୍ଦନ ସେ ତ ନନ୍ଦ ନନ୍ଦନ

ନୀପମୂଳେ ଡାକେ ରାଇ ବୋଲି

ମିଛେ ସିନା ଦୋଷୁ ତାକୁ ଖାଲି ।।୩।।

 

(୯୩)

 

ସେ ତ ଶ୍ୟାମ ବିନୋଦିନୀ ରାଈ ଗୋ

କାହ୍ନୁ ଗୁଣ କରେ ତାକୁ ବାଇ

ବୁକୁ ଫାଟୁଥାଇ, ଶ୍ୟାମ ପଥ ଚାହିଁ

(ତା’ର) ମୁଖ ଫିଟି ଫିଟେ ନାହିଁ ଗୋ

ଦରଶ ପରଶ ନାହିଁ, କହିଲେ ଲଳିତା ସହୀ

କାହ୍ନୁ ହେଜି ତେଜେ ସେ ଯେ ଘର

ଚାରୁ ନିତମ୍ବିନୀ, ରାଈ ନୟନେ ଗୋ

ନିରତ ନାଚଇ ମନଚୋର

ଅଞ୍ଜଳି ତାର ଭରି, ତୋଳି ଦେବ ମନ ବୋଲି

ଆସେ ଧନୀ ଶ୍ୟାମ ପଥ ଚାହିଁ

 

(୯୪)

 

ସଜନୀ, ଫଳ ନାହିଁ ଆଉ ଅଭିମାନେ

ବରଜ ବଜାରେ ସଖୀ ଅପବାଦ ନାଗରା

ରାଧା ନାମେ ବାଜେ କେ ନ ଜାଣେ ।।

ବାରବାର ସହି ପଥର କଲିଣି ଦେହୀ

କେତେ କଣ୍ଟ ଯାଇଛି ତ ବିତି

କୁଞ୍ଜ ସଜାଇ ବସି ଜାଗର ଜାଳି ଗୋ

ପୁହାଇଛି କେତେ ଚାନ୍ଦରାତୀ

ସେ ତ କପଟ ନଟ

ଘେନିବ କି କାହିଁ ସଖୀ ଆକଟ

ସେ କପଟ ନଟ

ଯେ ଯେତେ କହିଲେ ଲାଜ ନାହିଁ ତିଳେ

କାଳିଆ ନାଗର ନିଲଜ ଧିଟ

କାହିଁକି ବଳାଉ ମୋତେ ସଖୀ ଆଉ

କି ଆଶ ଆଉ ଏ ରାଧା ଜୀବନେ ।

 

(୯୫)

 

ରାଈ ଗୋ, କଥା ମାନ, କଥା ମାନ

ଯମୁନା ପୁଲିନେ କାହୁ ମୁରଲୀ ବାଜିଲେ ଗୋ

ମୁଦି କି ପାଇବୁ ବେନି କାନ ।।୦।।

ମୁରଲୀ ଯେବେ ସେ ଧରେ

ଯମୁନା ଉଜାଣି ଝରେ

ସଧୀର ଗୋ ଅଧୀର ପବନ

ତରଳେ ତ ପାଷାଣ କଠିନ

ଗୋ ଧନ ତୃଣ ଭୋଜନ

ତେଜେ ଶୁଣି ବେଣୁ ସ୍ୱନ

ଫାକ ଭୁଲେ କୁହୁକୁହୁ ଗାନ

କମଳ ପାରୁଶେ ଅଳି

ପାସୋରି ଦିଏ ତା ଅଳି

ଭୁଲି ଗୁଣୁ ମଧୁର ଗୁଞ୍ଜନ

ଶୁଣ ବ୍ରଜ କିଶୋରୀ ।

ମନ ଭୁଲା ଏକା କଳା ବାଁଶରୀ ବ୍ରଜକିଶୋରୀ ।

ଯେ ଯାହା କହିଲେ କହୁ

ଅପବାଦ ଦେଲେ ଦେଉ

ସେ କଳଙ୍କ ମଥାର ଭୂଷଣ

କବିଚନ୍ଦ୍ର କହେ ରାଈ

ତୋ ନାମ ଘୋଷିବା ପାଇଁ

ବେଣୁ ସିନା ଧରେ ସେ ମୋହନ ।।

 

(୯୬)

 

ହେ ବ୍ରଜରାଜ କି ପଚାର ବ୍ରଜ କଥା ଆଜ

ପିନ୍ଧିଛ ତ ତୁମ୍ଭେ ରାଜ ସାଜ ।।

ଆଉ କି ପଚାର ବ୍ରଜ କଥା ଆଜ ।।

କାଳିନ୍ଦୀ କମଳବନ ନାହିଁ ଯମୁନାରେ ମୀନ

ନାରୀ ମାରି ନାହିଁ ମୁଖେ ଲାଜ ।।

ଶିଖଣ୍ଡ ମୁକୁଟ ପିନ୍ଧ କଟିରେ କା ଛେଣୀ ବାନ୍ଧ

ଫିଙ୍ଗି ଦିଅ ଦୂରେ ଶିର-ତାଜ

ଫେର ହେ କରଜ ଶିରୀ

ମୋହନ ମୁରଲୀ ଧାରି ରାଧା ହୃଦ ଆସନେ ବିରାଜ ।।

 

(୯୭)

 

ମୋର ମରମେ ଜଡ଼ିତ ମନ

ଅଧ ଫୁଟା କଥା ଅଗତିରେ ରହେ

ତିନ୍ତିଯାଏ ଆଖିକୋଣ ।।୦।।

ରାଧା ବୋଲି ଜଣେ ଥିଲେ ପରା କିଏ

ତମରି ଗୋପରେ ସାଥୀ

ନାଗର ବର ଗୋ,ଅଭିମାନେ ପରା

କେତେଥର ବାନ୍ଧେ ଛାତି ।।୧॥

ଚରଣ ଧରିଛ ମିନତି କରିଛ

କହିଛ ଚାଟୁ ବଚନ ।

ମନ ହୁଏ ମୋର ହୁଅନ୍ତି ମୁଁ ସତେ

ସେହି ରାଧା ସରି ସମ ।।୨।।

ତମରି ପୀରତି ଯମୁନାର ତଟେ

ଶୁଣିବି ମୁରଲୀ ଗୀତ ।।

(ତୁମେ) ତ୍ରିଭଙ୍ଗ ହୋଇବ ବେଣୁରେ ଗାଇବ

ପୁଲକି ଉଠିବ ଚିତ୍ତ ।।୩।।

(ମୁଁ) ଚାହିଁ ଚାହିଁ ସେହି ନଟବର ରୂପ

ଚେତନା ହରିବି ଦିନେ ।

ମରିବି, ଜୀବନ ତେଜିବି, ଲଭିବି

ସେ ଜନମ ସାଧ ମନେ ॥୪।।

 

(୯୮)

 

ଛନ୍ଦ ଛାଡ଼ ଦଗାଦାର

ଥିଲ କାଲି କାହାପୁର

ପାହିଗଲା ନିଶି ପଥ ଚାହିଁ

ଫୁଲ ଶେଜ ମଉଳିଲା

ଗୁନ୍ଥାହାର ବାସି ହେଲା

ଝୁରିମଲା ବିରହିଣୀ ରାଈ

ଦେଲ କଣ୍ଟ କାହିଁକି

କାହା ପୀରତିରେ ହେଲ ବାଇ କି,

ନ ଗଲାତ ଏ ଛଳ ବେଭାର ।।୧॥

ଆଉ ମୁରଲୀ ବଜାଇ ନ କରିବ କାହ୍ନୁ ବାଇ

କୁଞ୍ଜ ଦୁଆରକୁ ଯିବ ନାହିଁ

ନୀଳ ମେଘ ଦରଶନ

ନୀଳ ଶାଢ଼ୀ ପହରଣ

ବରଜିଛି ଧନୀ କରି ପଣ

ବହିଅଛି ଗୁରୁମାନ ଏଥର ବଂଶୀ ବଦନ

ଭୁଞ୍ଜ ଫଳ କଲା କରମର ।।୨।।

 

(୯୯)

 

ଧଇର୍ଯ୍ୟ ଧର ତୁ ଧନୀ !

କୁଞ୍ଜେ ବିଜେ ହେବେ ବରଜ ମଣି

ସଜାଡ଼ି ରଖ ବିଡ଼ିଆ

ଗୋଳି ତୁ ଚନ୍ଦନ ଚୁଆ

ରଖ ସଖୀ ମୋର ବୋଲ ମାନି ।।୧।।

ଯାଉଛି ମୁହିଁ ସଜନୀ

ଆଣି ଦେବି ବେଣୁ ପାଣି

ଶୁଣ ଶୁଣ ବେଣୁ ବାଜିଲାଣି ।।୨।।

ଆସ ଉଠି ଆସ ଧନୀ,

ନଚାହଁ ଆଉ ଅବନୀ

ସଜାଇ ଦେବି ଗୋ ସଖୀ ବେଣୀ ।।୩।।

ଆନ ନ ହେଲା ସରସ

ଶୁଣି ଲଳିତାର ଭାଷ

ପ୍ରସନ୍ନ ହୋଇଲେ ରାଧାରାଣୀ ।।୪।।

 

(୧୦୦)

 

ଫନ୍ଦାଇ ନାନ ବିନୟ କରି କାହ୍ନୁ

ଧରିଲେ ଧନୀର କର

କୁଞ୍ଜ କୋଣେ ଥାଇ ବରଜର ଗୋଇ,

ହସୁଥିଲେ ଦରଦର ।।୦।।

ପଚାରେ ଲଳିତା ସଜନୀ

ଶ୍ୟାମ ହେ !

କାଲି ଯାଇଥିଲ କାହିଁ

ଉଜାଗର ରହି ଆମ୍ଭ ପ୍ରିୟ ସହୀ

ସାରା ନିଶିଗଲା ପାହି

ସତ କହ ନାଗର

କାହିଁକି ରଚିଲ ଏହି ହୁନ୍ଦର

ଛଳାଇ ଡକାଇ ଆଉ କହ ନାହିଁ

ଯାଅ ଯାଅ ବେଗେ କୁଞ୍ଜରୁ ଫେର ।।୧।।

 

(୧୦୧)

 

ସଜନୀ, କେ' ସେ ଯମୁନାର ତୀରେ

କଦମ୍ବ ମୂଳରେ ଥାଇ

ମୋହନ ମୁରଲୀ ବାଇ

ରାଈ ରାଈ ବୋଲି ସେ ପୁକାରେ ।।୦।।

ତନୁଜିତ ନବଘନ

ତହିଁରେ ପୀତବସନ

ଅଚଳ ବିଜୁଳୀ ଖେଳା ସତେ

ଅପରୂପ ସେ ଲାବଣ୍ୟ

ଗଢ଼ିଲା ବିନ୍ଧାଣୀ ଧନ୍ୟ

ଘେନି ଜଗତର ନିଧି ଯେତେ

କୋଟିଏ ମଦନ ରୂପ ହାରେ ।।୧॥

ଶୟନରେ ସପନରେ

ନାଚେ ଛବି ନୟନରେ

କେ ପଚାରେ ଜାତି କୂଳମାନ

କାହିଁକି କେଜାଣି ସଖି

ଆଖି ମୋ ରହିଛି ଲାଖି

ଅପାଶୋଭା ଛବି ସେ ମୋହନ

ମନ ବିକା ତାହାରି ପୟରେ ।।୨।।

 

(୧୦୨)

 

ପୂରୁବ ଗଗନ ପଟେ ନବରବି ପରକଟେ

ପକ୍ଷୀ କଣ୍ଠେ ପ୍ରଭାତୀ ସଙ୍ଗୀତ

ଦଧିଭାଣ୍ଡ କରେ ଘେନି ମାତା ଯଶୋମତୀ ରାଣୀ

କାହ୍ନାର ଚିନ୍ତନେ ପୁଲକିତ ।।୦।।

କରିବ ଦଧି ମନ୍ଥନ

ଡାକିଲେ ଆସରେ ଆସ ବହନ

ଆସ ଜୀବନ ଧନ

କରିବ ଲବଣୀ ସର ଭୋଜନ

ସଙ୍ଗେ ଘେନି ରାମ ଭାଇ ଆସରେ କଳାକହ୍ନାଇ

ଗୋଠେ ଯିବ ଚରାଇ ଗୋଧନ

ସଖାଗଣ ଆସି ଗଲେଣିତ ।।୧।।

କର ଅଞ୍ଜଳି ଭରି

ରାମ ତୁଲେ ବନମାଳୀ

କରି ସର ଲବଣୀ ଭୋଜନ

ସଖା ତୁଲେ ନାଚି ଗାଇ

ଗୋଧନ ସଙ୍ଗରେ ନେଇ

ଚଳିଲେ ସେ ବୃନ୍ଦାବନ ବନ

ମୁରଲୀ କରରେ ଧରି

ଆନନ୍ଦେ ବଜାଇ ହରି

ଗୋଷ୍ଠେ ବିଜେ କରିଲେ ତୁରିତ ।।୨।।

Image